

ସତ୍ୟଶିଖା(ଭୁବନେଶ୍ୱର) ୨୫.୦୫.୨୦୨୧: ବାତ୍ୟା ୟାସ ପ୍ରଭାବରୁ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର କୂଳିଆ ଅଂଚଳରେ ପାଣି ପଶିବା ଆରମ୍ଭ କରିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୪୮ଟି ଗାଁ ସମୁଦ୍ର କୂଳରେ ରହିଛି । ତେଣୁ ଏହିସବୁ ଗାଁକୁ ଅଧିକ ବିପଦ ରହିଛି । ଗତକାଲିଠାରୁ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ରାଜନଗର ତାଳଚୁଆରେ ପାଣି ପଶିଛି । ସେହିପରି ପୁରୁଷୋତମପୁର ଗାଁରେ ଘେରିବନ୍ଧ ଭାଙ୍ଗି ଗାଁ ଭିତରେ ପାଣି ପଶିବା ଆରମ୍ଭ କରିଛି । ଗତବର୍ଷ ଏହି ଗାଁରେ ଲୁଣା ଘେରିବନ୍ଧ ଭାଙ୍ଗି ଗାଁ ଭିତରକୁ ପାଣି ମାଡି ଆସିବା ଫଳରେ ୬୦ରୁ ଅଧିକ ପରିବାର ଜଳବନ୍ଦୀ ହୋଇପଡିଥିଲେ । ଏବେ ବାତ୍ୟା ଆସିବା ଆଗରୁ ସାମନ ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଲୋକଙ୍କ ଭିତରେ ଛନକା ପଶିଛି ।