ପାଣି ପାଗ

୨-୩ ଦିନ ଭିତରେ ମୌସୁମୀ କେରଳ ଛୁଇଁବ ।

ସତ୍ୟଶିଖା :୨୩/୦୫/୨୦୨୫: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ବିସ୍ତାରିତ  ଆକଳନ ବି ଏହି ଦିଗରେ ସଙ୍କେତ ଦେଖାଉଛି । ଆସନ୍ତା  ୨୭ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା  ଲଘୁଚାପ ପରବର୍ତ୍ତୀ ଦୁଇଦିନରେ ସାମାନ୍ୟ ଘନୀଭୂତ ବି  ହୋଇପାରେ । ଏହା ପ୍ରଭାବରେ ୨୭ ଓ ୨୮ ତାରିଖରେ ଓଡ଼ିଶାର  କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।  ମେ ୨୯ରୁ  ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଆଇଏମଡି ଜାରି କରିଥିବା ପୂର୍ବାନୁମାନ   ଅନୁସାରେ, ଏହି ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବେଶ କରିପାରେ । ଯଦି ଏମିତି ହୁଏ, ତେବେ ଏହି ସମୟରେ ମୌସୁମୀ  ଓଡ଼ିଶା ପ୍ରବେଶ କରିବ ।

 ପ୍ରାକ୍‌ ମୌସୁମୀ ପ୍ରଭାବରେ ଆଂଶିକ ମେଘୁଆ ପାଗ, ହାଲୁକା  ପବନ, ଠାଏଠାଏ ହାଲୁକା ବର୍ଷା ହୋଇଛି । ଖସିଛି ତାତି । ପାଣିପାଗ ପୂର୍ବାନୁମାନ, ଦକ୍ଷିଣ-ପଶ୍ଚିମ ମୌସୁମୀର ବାଟ  ଅନୁକୂଳ ରହିଛି । ୨-୩ ଦିନ ଭିତରେ ମୌସୁମୀ କେରଳ  ଛୁଇଁବ । ଓଡ଼ିଶା ପାଇଁ ବଡ଼ କଥା ହେଲା, ଆସନ୍ତା ୨୭ ତାରିଖ   ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ଉତ୍ତର  ବଙ୍ଗୋପସାଗରରେ । ଏହି ସମ୍ଭାବ୍ୟ ଲଘୁଚାପ ହିଁ ମୌସୁମୀକୁ  ଓଡ଼ିଶାକୁ ଟାଣି ଆଣିପାରେ । ସମ୍ଭବତଃ ଚଳିତ ମେ ମାସର  ଶେଷ କିମ୍ବା ଜୁନ୍‌ ପହିଲା ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ।

ସୋଆ ଜଳବାୟୁ ଓ ପରିବେଶ   (ସିଇସି) କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ  ପୂର୍ବାନୁମାନ ହେଲା, ଯଦି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଭଲ  ବର୍ଷା ହୁଏ, ତାହା ମୌସୁମୀ ଆଗମନ ପାଇଁ ସହାୟକ ହେବ । ରାଜ୍ୟରେ ବର୍ତ୍ତମାନ ପାଗରେ ବଡ଼ ପରିବର୍ତ୍ତନ ଆସିଛି । କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନାହିଁ । ଉପକୂଳରେ  ବାଲେଶ୍ୱରକୁ ଛାଡ଼ିଦେଲେ ପ୍ରାୟ ସବୁଠି ପାରଦ ୩୨-୩୩  ଡିଗ୍ରୀ ଭିତରେ ଥିଲା । ପାଣିପାଗ କେନ୍ଦ୍ର ପୂର୍ବାନୁମାନ ହେଲା,  ଶୁକ୍ରବାରଠାରୁ ଗୁଳୁଗୁଳି ପ୍ରଭାବ ଏତେ ରହିବନି । ୨୪ ଘଣ୍ଟା   ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।

ଶୁକ୍ରବାର ଅଳ୍ପ  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗଞ୍ଜାମ,ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବଜ୍ରପାତ ସହ ୪୦-୫୦ କିମି ବେଗରେ  ପବନ ଏବଂ ଧୂଳିଝଡ଼ ଆଶଙ୍କା ଅଛି । ୨୮ ତାରିଖ ପର୍ଯ୍ୟନ୍ତ  ଏଭଳି କାଳବୈଶାଖୀ ସମ୍ଭାବନା ଅଛି ।

Show More
Back to top button