

ସତ୍ୟଶିଖା(ଭୁବନେଶ୍ୱର ) ୦୪.୦୧.୨୦୨୨ : କୋଭିଡ୍ କଟକଣା ଭିତରେ ଆଜିଠୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ଖୋଲିବ । ଏଠାରେ ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକ ନିୟମ ପାଳନ କରି ଉଭୟ ଉଦ୍ୟାନରେ ବୁଲି ପାରିବେ । ହେଲେ ବଟାନିକାଲ ଗାର୍ଡେନ (ଉଦ୍ଭିଦ ଉଦ୍ୟାନ) ମଧ୍ୟରେ ଜାନୁୟାରୀ ମାସ ଶେଷ ପର୍ଯ୍ୟନ୍ତ ଭୋଜିଭାତ କରିବାକୁ ବାରଣ କରାଯାଇଛି ।
ସୂଚନାଯୋଗ୍ୟ ନୂଆବର୍ଷ ଅବସରରେ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଥିବାରୁ ଭିଡ଼କୁ ଆଖି ଆଗରେ ରଖି ପର୍ଯ୍ୟଟକ ଓ ପଶୁପକ୍ଷୀଙ୍କ ସୁରକ୍ଷା ଲାଗି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ମହାମାରୀର ତୃତୀୟ ଲହର ଓମିକ୍ରନ୍ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ୨୦୨୧ ଡିସେମ୍ବର ୩୦ତାରିଖ ଠାରୁ ୨୦୨୨ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ୫ଦିନ ପାଇଁ ବନ୍ଦ ରଖିବାର ନିଷ୍ପତ୍ତି ନେଇଥିଲେ କର୍ତ୍ତୃପକ୍ଷ । ଅନ୍ୟପକ୍ଷରେ ୫ଦିନ ପର୍ଯ୍ୟନ୍ତ ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନ ବନ୍ଦ ଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ପାଇଁ ଆଖପାଖ ଅଞ୍ଚଳ ସମେତ ଅନ୍ୟ ରାଜ୍ୟରୁ ବହୁ ପର୍ଯ୍ୟଟକ ଆସି ଫାଟକ ଆଗରେ ଜମା ହୋଇଥିବା ଦେଖିବାକୁ ମିଳିଥିଲା । ନନ୍ଦନକାନନ ନିରାପତ୍ତା ବିଭାଗର କର୍ମଚାରୀ ସେମାନଙ୍କୁ ଭିତରକୁ ଛାଡ଼ିନଥିଲେ ।
ତେଣୁ ଶତାଧିକ ପର୍ଯ୍ୟଟକ ଏକାଠି ହୋଇ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା । ଶେଷରେ ସ୍ଥାନୀୟ ପୁଲିସ ସେଠାରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କଲାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ନନ୍ଦନକାନନ ନିରାପତ୍ତା ଅଧିକାରୀ ପର୍ଯ୍ୟଟକଙ୍କୁ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ପାଇଁ ହୋଇଥିବା ମାନିଥିଲେ । ଫଳରେ ସେମାନେ ନିରାଶ ହୋଇ ଫେରିଥିଲେ । ଆସନ୍ତା ୧୦ଦିନ ମଧ୍ୟରେ ଅନ୍ଲାଇନ୍ରେ ଟିକେଟ ବୁକିଂ କରିଥିବା ଲୋକମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।