ନ୍ୟୁଜ୍ରାଜ୍ୟ

ସରକାରଙ୍କର ବଡ଼ ପଦକ୍ଷେପ , କରୋନା ମୃତକଙ୍କ ଅନ୍ତିମ ସଂସ୍କାର ଲାଗି ଦେବେ ଆର୍ଥିକ ସହାୟତା I

ସତ୍ୟଶିଖା (ଭୁବନେଶ୍ୱର) : ୨୦/୦୭/୨୦୨୦ କରୋନା ଜନିତ ମୃତ୍ୟୁ ପରେ ମୃତଦେହ ସତ୍କାର ଲାଗି ବିଭିନ୍ନ ସମସ୍ୟା ଦେଖାଦେଉଛି , ସଂକ୍ରମଣ ଭୟରେ ଅଭାବନୀୟ ଘଟଣା ମଧ୍ୟ ଘଟୁଛି । କରୋନା ସଂକ୍ରମଣରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହେବ, ତାଙ୍କ ଶେଷକୃତ୍ୟ ଲାଗି ୭ ହଜାର ୫୦୦ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ଅର୍ଥ କରୋନା ମୃତକଙ୍କ ଶବ ସଂସ୍କାରରେ ନିୟୋଜିତ ବ୍ୟକ୍ତିଙ୍କୁ ଦିଆଯିବ।

କରୋନା ଜନିତ ମୃତ୍ୟୁ ପରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବାରୁ , କରୋନା ସଂକ୍ରମିତ ବା ସନ୍ଦିଗ୍ଧଙ୍କ ଶବ ସତ୍କାର କରିବାକୁ କେହି ଆତ୍ମୀୟ କିମ୍ବା ପଡିଶା ଭୟରେ ଆଗକୁ ଆସୁ ନାହାନ୍ତି । ଏପରି କି କେଉଁଠି ଚାରି କାନ୍ଧ ମିଳୁନି ଏବଂ କେଉଁଠି ଗାଁ ଶ୍ମଶାନ ବି ଜାଗା ଦେଉନି । କୋଭିଡ୍ ସଂକ୍ରମଣ ଭୟରେ ଏପରି ଘଟିଥିବା ବେଳେ ସଂକ୍ରମିତଙ୍କ ପରିବାର ମଧ୍ୟ ସାମାଜିକ କଟକଣାର ସମ୍ମୁଖୀନ ହେଉଛନ୍ତି । ଏ ସବୁ ପରିସ୍ଥିତି ର ମୁକାବିଲା ପାଇଁ ଓ କରୋନା ସଂକ୍ରମିତଙ୍କ ଶବ ସତ୍କାର ଲାଗି ସହାୟତା ଘୋଷଣା କରିଛନ୍ତି ସରକାର।

ସୂଚନାଯୋଗ୍ୟ ଯେ ସୋମବାର ଦିନ ରାଜ୍ୟ ସରକାର କରୋନା ଯୋଦ୍ଧା ସ୍ବାସ୍ଥ୍ୟ କର୍ମଚାରୀଙ୍କ ଲାଗି ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଡାକ୍ତରମାନଙ୍କୁ ଦୈନିକ ଏକ ହଜାର ଟଙ୍କା ଲେଖାଏଁ, ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ୫୦୦ ଟଙ୍କା,, ରେଡିଓଗ୍ରାଫର ଓ ଲାବ୍ରୋଟୋରି ଟେକ୍ନିସିଆନଙ୍କୁ ଦୈନିକ ୫୦୦ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ୨୦୦ ଟଙ୍କା  ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ। ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣ କରାଯିବ ।

Show More
Back to top button