ରାଜ୍ୟ
ରାତିରେ ଟ୍ରାକ୍ଟରରେ ଲଦି ନେଉଥିଲେ, ଧରାପଡ଼ିଲେ


ବାଲିଗୁଡ଼ା (ଅଜିତ ନାୟକ): ନିଶା ବ୍ୟବସାୟୀମାନେ ପୁଲିସ୍ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଖସି ଯିବା ପାଇଁ ବିଭିନ୍ନ ତରିକା ଆପଣାଉଛନ୍ତି। ତଥାପି ସେମାନେ ଧରାପଡ଼ୁଛନ୍ତି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ।
ଗତକାଲି ରାତି ପ୍ରାୟ ୩ଟା ସମୟରେ ଏକ ଟ୍ରାକ୍ଟର ଗଞ୍ଜେଇ ନେଇ ବଗାଡ଼ରୁ ବାହାରି କ.ନୂଆଗାଁ ଅଭିମୁଖେ ଯାଉଥିଲା। ଏହି ସମୟରେ ବାଲିଗୁଡ଼ା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଟ୍ରାକ୍ଟରଟିକୁ ପିଛା କରିଥିଲା। ମହାସିଂ ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ଗାଡ଼ିକୁ ପୁଲିସ୍ ଅଟକାଇଥିଲା ଓ ସେଥିରୁ ଚାରି କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା।
ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭରକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାଁ ସଂଜୀବ ଖଟୁଆ। ତାଙ୍କ ଘର ମହାସିଂ ଗାଁରେ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ।
[ad_2]