ଅପରାଧନ୍ୟୁଜ୍ରାଜ୍ୟ

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ

ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ରାଜ୍ୟରେ ଶିଶୁ ନିଖୋଜ ଓ ଦୁଷ୍କର୍ମ ମାମଲା ବୃଦ୍ଧିକୁ ନେଇ ରାଜନୀତି ସରଗରମ ହୋଇପଡ଼ିଥିବା ବେ‌ଳେ ପୁରୁଣା ଭୁବନେଶ୍ୱରରୁ ଆସିଛି ପୁଣି ଏକ ସଂଗିନ୍ ଅଭିଯୋଗ । ମାତ୍ର ୭ ବର୍ଷର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନାବାଳିକାର ପଡ଼ୋଶୀ ଆଇନଜୀବୀ ରବି ଦାସ(୪୦) ହେଉଛନ୍ତି ଏହି ମାମଲାର ଅଭିଯୁକ୍ତ । ନିଜ ପୁଅର ସାଙ୍ଗ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଜଘନ୍ୟ କାଣ୍ଡର ଅଭିଯୁକ୍ତ ଆଇନଜୀବୀଙ୍କ ବିରୋଧରେ ପୁଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଛି । ମାମଲାଟି ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।ନାବାଳିକାର ମା’ ଶ୍ରୀଲିଙ୍ଗରାଜ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ରବିଙ୍କ ଘରକୁ ତାଙ୍କ ଝିଅ ଯାଇଥିଲା । ସବୁଦିନ ଭଳି ତାଙ୍କ ଝିଅ ରବିଙ୍କ ପୁଅ ସହ ଖେଳିବାକୁ ତାଙ୍କ ଘରକୁ ଯାଇଥିଲା । ରାତି ପ୍ରାୟ ୯ଟା ବେଳେ ଝିଅ ଘରକୁ ଫେରିଥିଲା ଓ ମା’ଙ୍କ ପାଖରେ କାନ୍ଦିଥିଲା । ଝିଅର କାନ୍ଦିବା ଦେଖି ମା’ କାରଣ ବାବଦରେ ପଚାରିଥିଲେ । ନାବାଳିକା କାନ୍ଦି କାନ୍ଦି ରବି ଅଙ୍କଲ୍‌ଙ୍କ କଦର୍ଯ୍ୟ ବ୍ୟବହାର କଥା ମା’ଙ୍କୁ କହିଥିଲେ । ମା’ ମଧ୍ୟ ନାବାଳିକାର ଶରୀରକୁ ଦେଖି ତା’ ସହ ଖରାପ ବ୍ୟବହାର ହୋଇଥିବା ଜାଣି ପାରିଥିଲେ । ସେ ତୁରନ୍ତ ତାଙ୍କ ସ୍ଵାମୀଙ୍କୁ ଫୋନ୍‌ କରି ଘରକୁ ଡକାଇଥିଲେ ଓ ସ୍ଵାମୀଙ୍କ ସହ ଶ୍ରୀଲିଙ୍ଗରାଜ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ମାତ୍ରେ ପୁଲିସ ଏକ ମାମଲା ରୁଜୁ କରିବା ସହ ପ୍ରାଥମିକ ତଦନ୍ତ କରିଥିଲା । ରାତି ପ୍ରାୟ ୧ଟା‌ରେ ପୁଲିସ ଆଇନଜୀବୀ ରବିଙ୍କ ଘରେ ଚଢ଼ଉ କରି ତାଙ୍କୁ ଉଠାଇ ଆଣିଥିଲା । ଆଜି ରବିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ‌ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସୂଚନାଯୋଗ୍ୟ, ଅଭିଯୁକ୍ତ ରବିଙ୍କ ଘର ଗଞ୍ଜାମ ଅଞ୍ଚଳରେ । ରବିଙ୍କ ପରିବାର ଓ ନାବାଳିକାର ପରିବାର ପଡ଼ୋଶୀ ଭାବେ ଦୀର୍ଘ ଦିନ ହେଲା ଭଡ଼ାରେ ରହି ଆସୁଛନ୍ତି ।

Show More
Back to top button