ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ମହିଳା ସୁରକ୍ଷାକୁ ନେଇ ସମସ୍ତ ରାଜ୍ୟକୁ ଜାରି କଲେ ଆଡଭାଇଜରୀ l

ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲା ପରେ ଦେଶବ୍ୟାପି ବିରୋଧ ଜାରି ରହିଛି । ହାଥରସ ମାମଲାରେ ପୋଲିସ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା କେନ୍ଦ୍ର ସରାକର ବଡ଼ ପଦକ୍ଷେପ ନେଇଛନ୍ତି । ଥାନାରେ ଅଭିଯୋଗ ଓ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ବାରମ୍ବାର ପୋଲିସ ଷ୍ଟେସନକୁ ଆସିବାକୁ ପଡ଼େ । ମହିଳାଙ୍କ ଠିକ୍ ସମୟରେ ଉଚିତ ସେବା ପୋଲିସ୍ ପକ୍ଷରୁ କିଭଳି ମିଳିପାରିବ ସେ ନେଇ କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୃହ ମନ୍ତ୍ରାଳୟ ଆଜି (ଶନିବାର) ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଯେ ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରନ୍ତୁ । ଏହା ସହ ପ୍ରତିଟି ମାମଲା ପାଇଁ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କୁହାଯାଇଛି । କେବଳ ଏତିକି ନୁହେଁ ପ୍ରତିଟି ମାମଲାରେ ଏତଲା ରୁଜୁ କରିବା ଅନିବାର୍ଯ୍ୟ । ଯଦି କୌଣସି ଅଧିକାରୀ ଏହାକୁ ଅଣଦେଖା କରନ୍ତି ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର କୁହାଯାଇଛି ।କାହିଁକି ଜାରି ହେଲା ଆଡଭାଇଜରି: ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ପୋଲିସ୍ର ସମ୍ବେଦନହୀନତା ମାମଲା ପ୍ରାୟ ଦେଖିବାକୁ ମିଳେ । ଏତଲା ରୁଜୁ କରିବାରେ ସେମାନେ ବିଳମ୍ବ କରନ୍ତି । ଏହା ସହ ମେଡିକାଲ ଚିକତ୍ସା ଠିକ୍ ସମୟରେ ନ କରିବା, ଜାଣିଶୁଣି ମାମଲାକୁ ଦୁର୍ବଳ କରିବା, ମାମଲାକୁ ଟାଳିବାକୁ ଚେଷ୍ଟା କରିବା ଆଦି ଅଭିଯୋଗ ଆାସେ । ବଳାତ୍କାର ମାମଲାରେ ପୋଲିସ ଅଧିକାରୀ ଫରେନସିକ ପ୍ରକ୍ରିୟା ପାଳନ କରି ନ ଥାନ୍ତି । ଏହା ଦ୍ୱାରା ଗୁରୁତର ପ୍ରମାଣ ନଷ୍ଟ ହୋଇଥାଏ ଓ ମାମଲା ଦୁର୍ବଳ ହୋଇଥାଏ । ତେବେ ଯେଉଁଭଳି ଭାବେ ଆଡଭାଇଜରୀରେ ତଦନ୍ତ ପ୍ରକ୍ରିୟା ଉପରେ ଜୋର ଦେଇଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ପୋଲିସ କାର୍ଯ୍ୟ ଉପରେ ସନ୍ତୁଷ୍ଟ ନାହାନ୍ତି ସରକାର ।