ସତ୍ୟଶିଖା ୧୩ .୦୯.୨୦୨୦ : କଳାହୀରାର ସହର ତାଳଚେର ସହରରେ ପ୍ରଦୂଷଣ ବୃଦ୍ଧିରେ କୋଇଲା ଖଣିଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସବୁ ଯାକ ଖଣି ଏମିସିଏଲ୍ ଅଧୀନରେ ରହିଛି । କୋଇଲା ଖଣି ଯୋଗୁଁ ତାଳଚେର ଉପଖଣ୍ଡବାସୀ ପ୍ରଦୂଷଣର ବିଷବଳୟ ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି । ପରିବେଶ ସୁରକ୍ଷା ଦିଗରେ ଏବେ ଜଂଗଲ ସୁରକ୍ଷା ଓ ବୃକ୍ଷରୋପଣକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏମ୍ସିଏଲ୍ ତାଳଚେର କିନ୍ତୁ ଏ ଦିଗରେ ଠୋସ୍ ପଦକ୍ଷେପ ନେଉନାହିଁ । ବିଗତ ୯ ବର୍ଷ ମଧ୍ୟରେ ଏମ୍ସିଏଲ୍ ତାଳଚେର କ୍ଷେତ୍ର ପକ୍ଷରୁ ମାତ୍ର ୨୭୯୭ଟି ବୃକ୍ଷରୋପଣ କରାଯାଇଥିବା ବେଳେ ଏଥରୁ ୫ ବର୍ଷ ଆଦୌ ଗଛ ଲଗାଯାଇନଥିବା ଜଣାପଡ଼ିଛି ।
ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ସୂଚନା ଅନୁସାରେ, ଏମ୍ସିଏଲ୍ ତାଳଚେର କ୍ଷେତ୍ର ପକ୍ଷରୁ ୨୦୧୦-୧୧ ଆର୍ଥିକ ବର୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ମାତ୍ର ୨୭୯୭ଟି ଗଛ ଲଗାଯାଇଥିବା ବେଳେ ଏବାବଦକୁ ୧ ଲକ୍ଷ ୬୭ ହଜାର ୯୪୫ଟି ଗଛ ଲଗାଯାଇଛି । ୨୦୧୦-୧୧ ଆର୍ଥିକ ବର୍ଷରୁ ୨୦୧୩-୧୪ ବର୍ଷ ପର୍ଯ୍ୟନ୍ତ ଏମ୍ସିଏଲ୍ ଏହି ଅଂଚଳରେ ଆଦୌ ବୃକ୍ଷରୋପଣ କରିନାହିଁ । ୨୦୧୪-୧୫ ଆର୍ଥିକ ବର୍ଷରେ ମାତ୍ର ୬୭ଟି ଗଛ ଲଗାଯାଇଛି । ତେବେ ଏଥିପାଇଁ ବିଭାଗ ପକ୍ଷରୁ ଟଙ୍କାଟିଏ ଖର୍ଚ୍ଚ କରାଯାଇନାହିଁ । ୨୦୧୫-୧୬ ଆର୍ଥିକ ବର୍ଷରେ ବି ଗୋଟିଏ ବି ଗଛ ଲଗାଯାଇନାହିଁ । ୨୦୧୬-୧୭ ଆର୍ଥିକ ବର୍ଷରେ ସର୍ବାଧିକ ୨୧୦୦ଟି ଗଛ ଲଗାଯାଇଥିବା ବେଳେ ଏଥିପାଇଁ ୧ ଲକ୍ଷ ୨୭ ହଜାର ୭୯୦ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି । ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ୫୫୦ଟି ଗଛ ଲଗାଯାଇଥିବା ବେଳେ ଏବାବଦକୁ ୪୩ ହଜାର ୧୦୫ ଟଙ୍କା ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ମାତ୍ର ୮୦ଟି ଗଛ ଲଗାଯାଇଛି । ତେବେ ଏଥିପାଇଁ ୭ ହଜାର ୫୦ ଟଙ୍କା ଖର୍ଚ୍ଚ କରାଯାଇଛି । ଏଭଳି ସ୍ଥିତିରେ ଏମ୍ସିଏଲ୍ ପକ୍ଷରୁ ପରିବେଶ ସୁରକ୍ଷା ଦିଗରେ କେତେ ଗୁରୁତ୍ୱ ଦିଆଯାଉଛି, ତାହା ଅନୁମାନ କରାଯାଇପାରେ । ତାଳଚେର କୋଲ୍ କରିଡର୍ ଯୋଗୁଁ କେବଳ ବାୟୁ ନୁହେଁ, ଜଳ ଆଉ ଜମି ବି ପ୍ରଦୂଷିତ ହେବାରେ ଲାଗିଛି ।
କୋଇଲା ପରିବହନ କାର୍ଯ୍ୟରେ ବ୍ୟବହୃତ ହଜାର ହଜାର ସଂଖ୍ୟକ ଟ୍ରକ୍ରୁ ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣ କରୁଛି । କୋଇଲା ପରିବହନକାରୀ ଟ୍ରକ୍ରେ ପାଲ ଭିଡ଼ା ବ୍ୟବସ୍ଥା ରହିଛି । ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ, ବାସ୍ତବ କ୍ଷେତ୍ରରେ ଏଥିପ୍ରତି ଅଣଦେଖା କରାଯାଉଛି । ଏ ସଂକ୍ରାନ୍ତରେ ଅନେକ ଥର ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଫଳରେ କୋଇଲା ଗୁଣ୍ଡ ଉଡ଼ି ବାୟୁ ପ୍ରଦୂଷଣ କରୁଛି । ସିଏମପିଡିଆଇର ନଭେମ୍ବର, ଡିସେମ୍ବର ୨୦୧୭ ଓ ଜାନୁଆରି, ଫେବ୍ରୁଆରି ୨୦୧୮ର ତଥ୍ୟ ଅନୁଯାୟୀ ତାଳଚେରରେ ମାତ୍ରାଧିକ ପ୍ରଦୂଷଣ ହେଉଥିବା ଜଣାପଡ଼ିଥିଲା । ସେହିପରି ମାର୍ଚ୍ଚ ୨୦୧୮ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପକ୍ଷରୁ ଗାନ୍ଧୀ ସାଗର ଓ ଡେରେଂଗଠାରେ କରାଯାଇଥିବା ସର୍ବେକ୍ଷଣରେ ପ୍ରଦୂଷଣର ମାତ୍ରା ବହୁତ ବେଶୀ ରହିଥିବା ଜଣାପଡ଼ିଛି । ଗତ ୨୦୧୮ ମସିହାରେ ଗ୍ରିନ୍ପିସ୍ ସଂସ୍ଥାର ଏକ ସର୍ବେକ୍ଷଣରୁ ତାଳଚେର ସହରାଂଚଳର ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଂଚଳ ମଧ୍ୟରେ ଅନ୍ୟତମ ବୋଲି ଜଣାପଡ଼ିଥିଲା । ଜୁଲାଇ ୨୦୧୯ ମସିହାରେ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ବି ତାଳଚେର ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଶିଳ୍ପାଂଚଳରେ ପ୍ରଦୂଷଣ ରୋକିବା ନିମନ୍ତେ ପରିବେଶ ପରିଚାଳନା କାର୍ଯ୍ୟକ୍ରମ ୧୯୯୫-୨୦୦୦ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ମାତ୍ର ତାହା ସଠିକ୍ ଭାବେ କାର୍ଯ୍ୟକାରୀ କରାଗଲା ନାହିଁ । ଏମ୍ସିଏଲ୍ ତାଳଚେର ଖଣି ଜରିଆରେ ହଜାର ହଜାର କୋଟି ଟଙ୍କା ଲାଭ କରୁଥିବା ବେଳେ ପରିବେଶ ସୁରକ୍ଷା ଦିଗରେ ଅବହେଳା କରୁଛି । ଏଥି ସହିତ କେବଳ ସହରବାସୀ ନୁହେଁ, ନିଜ କର୍ମଚାରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ଜନସାଧାରଣରେ ଆଲୋଚନା ହେଉଛି ।