ସତ୍ୟଶିଖା (ଭୁବନେଶ୍ୱର) ୨୫/୦୧/୨୦୨୧ : ରାଜ୍ୟରେ ଦୁଇ ପ୍ରକାରର ଆମ୍ବୁଲାନ୍ସ ସେବା ଜାରି ରହିଥିବାବେଳେ ଗର୍ଭବତୀଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଓ ଅନ୍ୟ ରୋଗୀଙ୍କ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ । ଉଭୟ ଆମ୍ବୁଲାନ୍ସ ସେବା ପାଇଁ ଅଲଗା କଲସେଣ୍ଟର ରହିଛି । ଆଗାମୀ ଦିନରେ ଦୁଇଟି ଯାକ ଆମ୍ବୁଲାନ୍ସ ପାଇଁ ଗୋଟିଏ ସହାୟତା ନମ୍ବର ରହିବ । ୧୦୮ରେ ମିଶିବ ୧୦୨ ସହାୟତା ନମ୍ବର। ୧୦୨ ଆମ୍ବୁଲାନ୍ସ ପାଇଁ ଆଗକୁ ୧୦୮ ନମ୍ବରରେ କଲ କରିବାକୁ ପଡ଼ିବ । ଆମ୍ବୁଲାନ୍ସ ସେବାକୁ ଅଧିକ ସରଳୀକରଣ କରିବାକୁ ଏପରି ପଦକ୍ଷେପ ନିଆଯାଇଛି । ୧୦୮ ସହାୟତା ନମ୍ବରକୁ ଫୋନ କଲେ ଉଭୟ ଗର୍ଭବତୀ ଓ ଅନ୍ୟ ରୋଗୀଙ୍କୁ ସେବା ମିଳିପାରିବ ।
ଦୁଇରୁ ତିନି ମାସ ମଧ୍ୟରେ ମିଶ୍ରଣ କରାଯିବାର ସମ୍ଭାବନା ରହିଛି । ମିଶ୍ରଣ ପରେ ରୋଗୀ ଏବଂ ଗର୍ଭବତୀ ୧୦୮ ସହାୟତା ନମ୍ବରକୁ ଫୋନ କଲେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ପହଞ୍ଚି ପାରିବ । ସରକାର ୧୦୮ ଆମ୍ବୁଲାନ୍ସ ସେବାକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପର୍ୟ୍ୟାୟକ୍ରମେ ୧୦୮ ଆମ୍ବୁଲାନ୍ସ ଗାଡି ବୃଦ୍ଧି କରାଯାଇଛି । ଆଗାମୀ ଦିନରେ ଆଉ ୨୮ଟି ୧୦୮ ଆମ୍ବୁଲାନ୍ସ କ୍ରୟ କରିବାକୁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଏବେ ରାଜ୍ୟରେ ୫୯୬ଟି ୧୦୮ ଏବଂ ୫୦୦ଟି ୧୦୨ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଛି ।