

ସତ୍ୟଶିଖା( ନୂଆଦିଲ୍ଲୀ )୧୧ .୦୭ . ୨୦୨୨: ଭାରତର ମିଶନ ଗଗନଯାନର ପୂରା ଯୋଜନା ସାମ୍ନାକୁ ଆସିଛି। ଯୋଜନା ଅନୁଯାୟୀ, ଗଗନଯାନର ପ୍ରଥମ ପରୀକ୍ଷଣ ମାନବ ବିହୀନ ଏବଂ ଦ୍ଵିତୀୟ ପରୀକ୍ଷଣରେ ଜଣେ ମହିଳା ରୋବୋଟକୁ ପଠାଯିବ। ଏହି ଦୁଇଟି ପରୀକ୍ଷଣ ଚଳିତ ବର୍ଷ ଶେଷ ସୁଦ୍ଧା ପୂରା କରାଯିବ। ଦୁଇଟି ପରୀକ୍ଷଣର ଫଳାଫଳ ଆଧାରରେ ତୃତୀୟ ପରୀକ୍ଷଣ କରାଯିବ। ଏଥିରେ ଦୁଇ ଜଣ ଲୋକଙ୍କୁ ମହାକାଶ ପ୍ରେରଣ କରାଯିବ।
କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦୌଗିକି ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ମିଶନ ଗଗନଯାନର ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦ୍ଵିତୀୟ ପରୀକ୍ଷଣରେ ଯେଉଁ ମହିଳା ରୋବୋଟକୁ ପଠାଯିବ, ତାର ନାମ ବ୍ୟୋମ ମିତ୍ର ରଖାଯାଇଛି। ଏହି ରୋବୋଟକୁ ଇସ୍ରୋ ତିଆରି କରିଛି।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହା ଭାରତର ଏକ ମାତ୍ର ଅନ୍ତରୀକ୍ଷ ମିଶନ। ଗଗନଯାନ ସ୍ପେସ ଫ୍ଲାଇଟ୍ ମିଶନ ଆଧାରରେ ମହାକାଶଚାରୀଙ୍କୁ ଅନ୍ତରୀକ୍ଷ ପଠାଯିବ। ଏହାର ପ୍ରଥମ ପରୀକ୍ଷଣ ୨୦୨୨ ମଧ୍ୟଭାଗରେ କରାଯିବ। ପ୍ରଥମ ପରୀକ୍ଷଣ ମାନବବିହୀନ ମିଶନ ଜି୧ ରହିବ। ଏହା ପରେ ୨୦୨୨ର ଶେଷ ଆଡକୁ ବ୍ୟୋମମିତ୍ର ନାମକ ରୋବୋଟ ପଠାଯିବ। ଏହି ଗଗନଯାନ ମିଶନରେ ୫୦୦ରୁ ଅଧିକ ଇଣ୍ଡଷ୍ଟ୍ରୀ ସାମିଲ୍। ଏଥିପାଇଁ ଅନେକ ରିସର୍ଚ୍ଚ ମୋଡ୍ୟୁଲ ପ୍ରସ୍ତୁତ କରାଯାଇଛି। ଏଥିରେ ଭାରତରେ ନିର୍ମିତ ରିସର୍ଚ୍ଚ ମୋଡ୍ୟୁଲ୍ ମଧ୍ୟ ସାମିଲ୍।