
ସତ୍ୟଶିଖା ୨୪ /୧୨/୨୦୨୦ : ରାଜସ୍ଥାନର ସିନ୍ଧୀ କ୍ୟାମ୍ପ୍ ଥାନା ପୋଲିସ ଏକ ବଡ ଧରଣର ଠକ ଗ୍ୟାଙ୍ଗ୍ର ପର୍ଦାଫାସ କରିଛି । ଜାଲ ନାଁ ଏବଂ ଠିକଣା ଦେଇ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି ଫାଇନାନ୍ସ୍ କମ୍ପାନୀ ଏବଂ ବ୍ୟାଙ୍କ୍ ଗୁଡିକରୁ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।
ଗିରଫ ୨ ଜଣ ଅଭିଯୁକ୍ତ ସତ୍ୟେନ୍ଦ୍ର ଦେଶବାଲ ଏବଂ ରାଜ ସିଂ ଠାକୁର ବିଭିନ୍ନ ଉପାୟରେ ବ୍ୟାଙ୍କ ଏବଂ ଘରୋଇ ଫାଇନାନ୍ସ୍ ଏଜେନ୍ସିଗୁଡିକରୁ କୋଟି କୋଟି ଟଙ୍କା ଠକେଇ କରୁଥିଲେ । ସେମାନଙ୍କ ଠାରୁ ୪ଟି ଦାମୀ କାର, ଲାପଟପ୍, ଡଜନେରୁ ଅଧିକ ମୋବାଇଲ ଫୋନ ଏବଂ ଅନ୍ୟ ଜାଲ କାଗଜପତ୍ର ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି । କେବଳ ସେତିକି ନୁହେଁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପ୍ରାୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ ହୋଇଛି ।ଅଭିଯୁକ୍ତମାନେ ଠକେଇ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥିଲେ । ଜଣେ ବ୍ୟକ୍ତି ବିଭିନ୍ନ ନାଁ, ଠିକଣା ବ୍ୟବହାର କରି ଠକେଇ କରୁଥିଲେ । ଏପରିକି ଜଣେ ବ୍ୟକ୍ତି ୧୦ରୁ ଉର୍ଦ୍ଧ୍ବ ନାଁ ବ୍ୟବହାର କରିଥିଲେ । ଗିରଫ ଅଭିଯୁକ୍ତମାନେ ପ୍ରାୟ ୫୦ ରୁ ଅଧିକ ବ୍ୟାଙ୍କ୍ ଓ ଫାଇନାନ୍ସ୍ କମ୍ପାନୀରୁ ୫ କୋଟି ଟଙ୍କାର ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ସୂଚନା ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ଯଥା-ରାଜସ୍ଥାନ, ଦିଲ୍ଲୀ, ମଧ୍ୟ ପ୍ରଦେଶ ଓ ହରିୟାଣାରେ ଏମାନେ ସକ୍ରିୟ ଥିଲେ ବୋଲି ପୋଲିସ ସୂଚନା ଦେଇଛି ।
ଥାନାଧିକାରୀ ଗୁଞ୍ଜନ ସୋନୀ କହିଛନ୍ତି ଯେ, ସିନ୍ଧୀ ଥାନା ସ୍ଥିତ ଏସବିଆଇ ବ୍ୟାଙ୍କର ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇଥିଲା । ବ୍ୟାଙ୍କର ମ୍ୟାନେଜର ଅଭିଯୋଗ କରିଥିଲେ ଯେ ଜାଲ୍ କାଗଜପତ୍ର ମାଧ୍ୟମରେ କୌଣସି ବ୍ୟକ୍ତି ଋଣ ନେଇଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପୂରା ଗ୍ୟାଙ୍ଗ୍ର ପର୍ଦାଫାସ କରିଛି ।