

ସତ୍ୟଶିଖା( ଭୁବନେଶ୍ୱର)୧୩ .୦୭ . ୨୦୨୨: ରାଜ୍ୟରେ ସାର ଯୋଗଣ ଓ କଳାବଜାରୀ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଚାଷୀଙ୍କ ପାଖରେ ଠିକ ସମୟରେ ଆବଶ୍ୟକ ମୁତାବକ ସାର ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷ ଓ ଚାଷୀ ପ୍ରଭାବିତ ହେଉଛନ୍ତି। ଆବଶ୍ୟକ ଅନୁସାରେ ସାର ମିଳୁନଥିବାବେଳେ କଳାବଜାରୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛି। ଏ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ଉଦବେଗ ପ୍ରକାଶ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଘେରିଛନ୍ତି। ଆଲୋଚନା ବେଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ଓ ଅଧିରାଜ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାୟକ ଅଭିଯୋଗ କରିଛନ୍ତି ଯେ ଅଫିସର ଯାହା ଲେଖି ଦେଉଛନ୍ତି ମନ୍ତ୍ରୀ ତାହା ଗୃହରେ କହୁଛନ୍ତି। ଏହା ହେଉଛି ଅମଲାତନ୍ତ୍ର ସରକାର।
ବିଭିନ୍ନ ଜିଲ୍ଲାକୁ ସଠିକ ପରିମାଣ ସାର ଯୋଗଣ ହେଉନାହିଁ। ଫଳରେ ସାରର ବ୍ୟାପକ କଳାବଜାରୀ ହେଉଛି। ଏହାର ଫାଇଦା ନେଇ ଡିଲର ମାନେ ମନମାନି କରୁଛନ୍ତି। ରାଜ୍ୟରେ ଚାଷୀ ମାନଙ୍କୁ ଠିକ୍ ସମୟରେ ସାର୍ ନମିଲୁଥିବା ବେଳେ ପଡୋଶୀ ରାଜୁକୁ ସାର୍ ଚୋରା ଚାଲାଣ ହେଉଥିବାର ଶାସକ ଓ ବିରୋଧୀ ବିଧାୟକ ଅଭିଯୋଗ କରିଛନ୍ତି। ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗୃହରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେହିପରି ବରିଷ୍ଠ କଂଗ୍ରେସ ସୁରେଶ ରାଉତରାୟ ଅଭିଯୋଗ କରିଛନ୍ତି ଯେ, ଚାଷୀଙ୍କୁ ଯେଉଁ ପରିମାଣରେ ସାର ଆବଶ୍ୟକ ସେହି ପରିମାଣରେ ଯୋଗାଇ ଦିଆ ଯାଉନାହିଁ । ସେହିପରି ଅଧିରାଜ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ଅଧିକ ଟଙ୍କାରେ ସାର କିଣିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି । କଳା ବଜାରୀ ହେଉଥିଲେ ବି ସରକାର ଗୁରୁତ୍ୱ ଦେଉ ନାହାନ୍ତି ବୋଲି ସେ କହିଛନ୍ତି ।
ଜବାବରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଉପରେ ଦୋଷ ଠେଲିଛନ୍ତି । ଗତ 5 ବର୍ଷ ହେବ ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏପ୍ରିଲ ପହିଲା 2022 ରୁ 30 ଜୁନ 2022 ପର୍ଯ୍ୟନ୍ତ 3 ଲକ୍ଷ 90 ହଜାର ମେଟ୍ରିକ ଟନ ସାର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ଦାବି କରିଥିଲେ । କେନ୍ଦ୍ର ସରକାର 3 ଲକ୍ଷ 64 ହଜାର 232 ମେଟ୍ରିକ ଟନ ଯୋଗାଇ ଦେଇଛନ୍ତି । ଚୁକ୍ତି ଅନୁଯାୟୀ ସମୁଦାୟ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 36 ହଜାର 760 ମେଟ୍ରିକ ଟନ ସାର ଯୋଗାଇ ଦେଇ ନାହାନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖା ଯାଇଛି ।