ନ୍ୟୁଜ୍

ବର୍ଷା ବିପତ୍ତି, ବନ୍ୟାରେ ଉବୁଟୁବୁ ରାଜ୍ୟ ଉପକୂଳବର୍ତ୍ତୀ ୪ ଜିଲ୍ଲା l

ସତ୍ୟଶିଖା ୨୭.୦୮.୨୦୨୦ : ବର୍ଷା ବିପତ୍ତି । ବନ୍ୟାରେ ଉବୁଟୁବୁ ରାଜ୍ୟ ଉପକୂଳବର୍ତ୍ତୀ ୪ ଜିଲ୍ଲା । ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗରେ ବନ୍ୟା ଆଶଙ୍କା କରିଛନ୍ତି ସରକାର । ସେଥିପାଇଁ ଯାଜପୁର, ଭଦ୍ରକ, ବାଲେଶ୍ୱର କେନ୍ଦ୍ରାପଡାରେ ସତର୍କ ରହିଛି ଜିଲ୍ଲା ପ୍ରଶାସନ । ପାଣିପାଗ ବିଭାଗ କହିଛି, ଏବେ ବି ବର୍ଷା ବିପଦ ଟଳିନାହିଁ । ଲଗାଣ ବର୍ଷା ଆଣିଲା ବନ୍ୟା । ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଜଟିଳ । ଜିଲ୍ଲାରେ ପ୍ରବାହିତ ହେଉଥିବା ୩ଟି ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ପାଖାପାଖି ୭୫ ପଞ୍ଚାୟତ ଜଳବନ୍ଦୀ । ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ରେଙ୍ଗାଲି ଗେଟ୍ ଖୋଲାହେବା ହେତୁ ଅନ୍ୟ ଦୁଇଟି ନଦୀ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ଯାଜପୁର ଦଶରଥପୁର ବ୍ଲକ ଦତ୍ତପୁର ଠାରେ ବୈତରଣୀ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ କସପା,ଦତ୍ତପୁର, ଦୁଦୁରଆନ୍ତା, ସୁସୁଆ, ମଲିକାପୁର ପଞ୍ଚାୟତ ଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି । ଜିଲ୍ଲାରେ ପୂର୍ବରୁ ଗୋଟିଏ ଦ୍ଭୟକ୍ସଲ ଓ ଦୁଇଟି ଓଡ୍ରାଫ ଟିମ ଥିବାବେଳେ ଆଉ ଦୁଇଟି ଓଡ୍ରାଫ ଟିମକୁ ମଗାଯାଇଛି ।

ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଭଦ୍ରକ ଜିଲ୍ଲାରେ ଭଣ୍ଡାରିପୋଖରୀ, ଧାମନଗର ତଳିଆ ଅଞ୍ଚଳ ଜଳମଗ୍ନ । ଭଣ୍ଡାରିପୋଖରୀରେ ବ୍ଲକରେ ୭ ଟି ପଞ୍ଚାୟତ ଓ ଧାମନଗର ବ୍ଲକରେ ୮ ଟି ପଞ୍ଚାୟତ ବନ୍ୟାଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାରୁ ଧାମନଗର ଦେଇ ଯାଜପୁର ଟାଉନ ଯୋଗାଯୋଗ କରୁଥିବା ରାସ୍ତାରେ ଦୋବଲ ଠାରେ ପୋଲ ଉପରେ ୩ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ବାଲେଶ୍ୱରରେ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି କାଂଶବାଂଶ । ଯାହାକୁ ନେଇ ସୋର ତଳିଆ ଅଞ୍ଚଳ ତଳନଗର, ସବିରାରେ ଭୟଭୀତ ଲୋକେ । ସବିରାରୁ ୧୬ନଂ ଜାତୀୟ ରାଜପଥକୁ ସଂଯୋଗ କରିଥିବା ସବିରା ମୁଖ୍ୟ ରାସ୍ତା ଦେଇ ୫ଫୁଟ ର ବନ୍ୟା ଜଳ ପ୍ରବାହିତ ହେଉଛି । ବହ୍ୟ ଜଗତରୁ ୨ପଞ୍ଚାୟତର ୪୬ଟି ଗାଁ ବିଛିନ୍ନ ହୋଇଯାଇଛି। ରେମୁଣା ଓ ବାଲେଶ୍ୱରକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାର ନୂଆସାହି ଛକରେ ରାସ୍ତା ଉପରେ ବର୍ଷା ପାଣି ଚାଲିବାରୁ ଯାତାୟତ ଠପ୍ । ରେମୁଣାରେ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ସଜାଗ ରହିଛନ୍ତି ।

କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ସଙ୍ଗୀନ । ବନ୍ୟା ପାଣିରେ ମହାକାଳପଡ଼ା ଅଞ୍ଚଳର ବେରୁହା ବଉଦପାଟରେ ୮୦୦୦ ହେକ୍ଟର ଧାନଚାଷ ନଷ୍ଟ । ସେହିପରି ମାର୍ଶାଘାଇ ବ୍ଲକ ମଙ୍ଗରାଜପୁର ବଟିରା ପଂଚାୟତରେ ସ୍ଥିତି ସଙ୍ଗୀନ । ପାଇକା ନଦୀରେ ଆସିଥିବା ବନ୍ୟା ଜଳ ରତନପୁର ଓ ଦଶମାନକୂଳ ଗାଁରେ ପ୍ରବେଶ କରିଛି ।

ଲଘୁଚାପ ଜନିତ ବର୍ଷାରେ ବେହାଲ ବୌଦ୍ଧ । ବର୍ଷା ଜନିତ ବନ୍ୟା ପାଣି ଏବେ ଘରେ ଘରେ ପଶିଛି । ଯାହା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ବିଗତ ତିନି ଦିନ ଧରି ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷାରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି । ଜିଲ୍ଲାର ୪୦ ରୁ ଉର୍ଦ୍ଧ୍ବ ଗାଁରେ ଘରେ ପଶିଛି ବର୍ଷା ଜନିତ ବନ୍ୟା ପାଣି ।
ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କୁଚିଣ୍ଡା ଖର୍ଲା ଓ ଭେଡେନ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରଭାହିତ ହେଉଛି। ବିଭିନ୍ନ ସ୍ଥାନରେ ବହୁ ମାଟି ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । କୁଚିଣ୍ଡା ଏନ ଏସି ରେ ଥିବା ୧୦ରୁ୧୧ ନମ୍ବର ଓ୍ବାର୍ଡ ଯୋଗ ଯୋଗ ବିଛିନ୍ନ ରହିଛି । ସେହିପରି ଜାତୀୟ ରାଜପଥ ୪୯ କୁଚିଣ୍ଡା ରୁ ଝାରସୁଗୁଡା ରାସ୍ତା ସାପଲେଞ୍ଜି ବ୍ରିଜରେ ୬ଫୁଟ ପାଣି ଚାଲିଛି ।

ସେପଟେ ପାଣିପାଗ ବିଭାଗ କହିଛି, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଉତ୍ତର ଆଡ଼କୁ ଗତି କରୁଛି. । ବର୍ତ୍ତମାନ ସୁଦ୍ଧା ଦୁର୍ବଳ ହୋଇନାହିଁ ଏବଂ ଏହା ପ୍ରଭାବରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ କରି ୬ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୪ ଦିନ ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣ ବର୍ଷା ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ ।

ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବନ୍ୟା ଆସିଥିବାରୁ ସରକାରଙ୍କ ଚିନ୍ତା ବଢି ଯାଇଛି । ତଳିଆ ଅଂଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Show More
Back to top button