

ସତ୍ୟଶିଖା (ଭୁବନେଶ୍ୱର) ୧୬/୦୨/୧୦୨୧ : ଦୀର୍ଘ ୧୦ ମାସ ପରେ ଝାରପଡ଼ା ଜେଲରେ ଆରମ୍ଭ ହୋଇଛି ମୁଲାକାତ୍ । କଏଦୀଙ୍କୁ ସେମାନଙ୍କ ପରିବାର ଓ ସମ୍ପର୍କୀୟମାନେ ଭେଟି କଥା ହୋଇଛନ୍ତି । କୋଭିଡ୍ ଗାଇଡଲାଇନ୍ ପାଳନ କରି ଏହି ମୁଲାକାତ୍ ଆରମ୍ଭ ହୋଇଛି । ମୁଲାକାତ୍ ପ୍ରକୋଷ୍ଠ ଝରକାରେ କାଚ ଲଗାଯାଇଛି । କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କୁ କାଚ ବାଟେ ସାକ୍ଷାତ କରିଥିଲେ । ଇଣ୍ଟରକମ୍ ସାହାଯ୍ୟରେ କଥାବାର୍ତ୍ତା ହୋଇଥିଲେ । ଆଜି ପ୍ରାୟ ୬୦ଜଣ କଏଦୀଙ୍କୁ ସେମାନଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି । ମୁଲାକାତ୍ ସମୟ ସକାଳ ସାଢ଼େ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ରଖାଯାଇଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଜେଲ୍ଗୁଡ଼ିକରେ ଇ-ମୁଲାକାତ୍ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଇଣ୍ଟରନେଟ୍ର ସମସ୍ୟା ପାଇଁ ଏହି ଇ-ମୁଲାକାତ୍ ଫଳପ୍ରଦ ହୋଇପାରି ନ ଥିଲା । ସେହିପରି କରୋନା ସଂକ୍ରମଣ ବଢ଼ିବା ଯୋଗୁଁ ମୁଲାକାତ୍ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ଗତବର୍ଷ ଏପ୍ରିଲ ମାସରୁ ମୁଲାକାତ୍ ବନ୍ଦ ରହିଥିଲା ।
ଝାରପଡ଼ା ଜେଲ୍ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନ୍, ମିଳିବ ଗ୍ରୋସରି, କସମେଟିକ୍ ସାମଗ୍ରୀ
ଝାରପଡା ଜେଲ୍ କର୍ମଚାରୀଙ୍କ ପାଇଁ ଖୋଲିବ କ୍ୟାଣ୍ଟିନ । ଆସନ୍ତାକାଲି(ମଙ୍ଗଳବାର) ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଏହାର ଉଦ୍ଘାଟନ କରିବେ । ଜେଲ୍ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନ ଖୋଲାଯିବା ରାଜ୍ୟରେ ପ୍ରଥମ । ଜେଲ କ୍ୟାମ୍ପସରେ ଖୋଲିବାକୁ ଥିବା ଏହି କ୍ୟାଣ୍ଟିନରେ ପ୍ରାଥମିକ ପର୍ଯ୍ୟାୟରେ ଗ୍ରୋସରି ଓ କସମେଟିକ୍ ସାମଗ୍ରୀ ମିଳିବ । ବଜାର ଦରଠାରୁ ସୁଲଭ ମୂଲ୍ୟରେ ଜେଲ କର୍ମଚାରୀ ସାମଗ୍ରୀ ପାଇ ପାରିବେ । ସାମଗ୍ରୀ ବିକ୍ରିରୁ ଯେଉଁ ଲାଭାର୍ଥ ମିଳିବା ତାହା କର୍ମଚାରୀ କଲ୍ୟାଣ ପାଣ୍ଠିକୁ ଯିବ । ଯଦି କୌଣସି କର୍ମଚାରୀ ଅସୁସ୍ଥ ହୁଅନ୍ତି କିମ୍ବା ସେମାନଙ୍କ ପିଲା ଯଦି ଭଲ ପାଠ ପଢନ୍ତି ତାହାଲେ ସେହି ଦିଗରେ କଲ୍ୟାଣ ପାଣ୍ଠି ଅର୍ଥକୁ ଖର୍ଚ୍ଚ କରାଯିବ ବୋଲି ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ ସୂଚନା ଦେଇଛନ୍ତି । ଜେଲ କ୍ୟାମ୍ପସରେ ଥିବା ଏକ ପୁରୁଣା ଘରକୁ ଉନ୍ନତିକରଣ କରାଯାଇ ସେଠାରେ କ୍ୟାଣ୍ଟିନ ଖୋଲାଯାଇଛି ।