ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ଆଉ ମାତ୍ର ଦିନ କେଇଟା ପରେ ନିଜ ଜନ୍ମ ମାଟିରେ ପାଦ ଥାପିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ଚଳଚଞ୍ଚଳ ସମଗ୍ର ମୟୂରଭଞ୍ଜ ଜିଲ୍ଲା । ନଭେମ୍ବର ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚିବେ ମହାମହିମ । ବାରିପଦା ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଏସୋସିଏସନ”ର ୩୬ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ରାଷ୍ଟ୍ରପତିଙ୍କ ସହ ଏହି ସମ୍ମିଳନୀରେ ରାଜ୍ୟପାଳ ରଘୁବର ଦାସ, ଝାଡ଼ଗ୍ରାମ ଲୋକସଭା ସଂସଦ କୁଆଁର ହେମ୍ବ୍ରମ୍, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ରାଷ୍ଟ୍ରପତିଙ୍କର ଏହି ଗସ୍ତରେ ଯେମିତି କୌଣସି ତୃଟି ନ ରୁହେ ସେଥିପାଇଁ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଛି ।