

ସତ୍ୟଶିଖା ୧୨ .୦୯.୨୦୨୦ : ରାଜ୍ୟରେ ଆସନ୍ତା ୧୪ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା । ୨୨ ହଜାର ୬୪୯ ଜଣ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ । ସେହିପରି ୧୨ ହଜାର ୯୩୯ ଜଣ ଓପନ୍ ସ୍କୁଲ୍ ପରୀକ୍ଷାର୍ଥୀ ୮୮ କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରୀକ୍ଷା କେନ୍ଦ୍ରରେ କୋଭିଡ୍-୧୯ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବ । ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରିବା ଓ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅପର ପକ୍ଷରେ ପରୀକ୍ଷା ବ୍ୟବସ୍ଥାର ସଠିକ୍ ପରିଚାଳନା କ୍ଷେତ୍ରରେ ସହାୟତା ଦେବା ଲାଗି ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି । ସେହିପରି ପରୀକ୍ଷା କେନ୍ଦ୍ରରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ବୋର୍ଡ ପୁଲିସ୍ ପ୍ରଶାସନର ସହଯୋଗ ମଧ୍ୟ ମାଗିଛି ।
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଖାତା ମୂଲ୍ୟାୟନ ଲାଗି ସମୁଦାୟ ୨୦ଟି କେନ୍ଦ୍ର ଚିହ୍ନଟ ହୋଇଛି । ସେଥିରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତା ମୂଲ୍ୟାୟନ ଲାଗି ୧୩ଟି କେନ୍ଦ୍ର ଥିବାବେଳେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଲାଗି ୭ଟି କେନ୍ଦ୍ର ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।