ଅପରାଧରାଜ୍ୟସ୍ୱାସ୍ଥ୍ୟ

ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ପ୍ରସଙ୍ଗ

ସତ୍ୟଶିଖା (ଭୁବନେଶ୍ୱର) ୦୯/୧୨/୨୦୨୦ : ମାସ୍କ, ପିପିଇ କିଟ୍ ଓ ଅନ୍ୟ କୋଭିଡ୍ ସାମଗ୍ରୀ କିଣାରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ପକ୍ଷରୁ ଅଧିକ ତଦନ୍ତ ଲାଗି ଭିଜିଲାନ୍ସ ମହାନିର୍ଦେଶକଙ୍କୁ ନିର୍ଦେଶ ଦିଆଯିବା ପରେ ଏବେ ସରକାରଙ୍କ ସଂଗ୍ରହ କମିଟିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ।

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ ଏହି ମାସ୍କ ଓ ସାମଗ୍ରୀ କିଣାରେ ହୋଇଥିବା ଦୁର୍ନୀତିରେ ଜରୁରୀକାଳୀନ କ୍ରୟ କମିଟି ଓ ମନ୍ତ୍ରୀସ୍ତରୀୟ କମିଟିର ସମ୍ପୃକ୍ତି ରହିଛି । ସରକାରଙ୍କ ପକ୍ଷରୁ ସଂଗ୍ରହ କମିଟି ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶକ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କୁ ଦର୍ଶାଇଛନ୍ତି ଯେ ଯାହାସବୁ କୋଭିଡ଼ ସାମଗ୍ରୀ ସଂଗ୍ରହ ହୋଇଛି ଏହି ଦୁଇ କମିଟିର ଅନୁମୋଦନ ପରେ ହୋଇଛି । ସେ ଦୃଷ୍ଟିରୁ ଏହି ଦୁଇ କମିଟିକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ କଂଗ୍ରେସ ପ୍ରଥମେ ଯେତେବେଳେ ଏହି ଦୁର୍ନୀତି ବିଷୟରେ ପର୍ଦାଫାସ କରି ଗଣମାଧ୍ୟମକୁ ଆଣିଥିଲା ସେତେବେଳେ ଶାସକଦଳ ଓ ସରକାର ତାକୁ ହେୟ ଜ୍ଞାନ କରିଥିଲେ; କିନ୍ତୁ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଆମର ଅଭିଯୋଗ ପଛରେ ଥିବା ସତ୍ୟତାକୁ ଯୁକ୍ତିସିଦ୍ଧ କରିଛି ।ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ ଏବେ ଭିଜିଲାନ୍ସର କାଠଗଡ଼ା ପରିସରଭୁକ୍ତ ହେବେ । ଭିଜିଲାନ୍ସ ଅଧିକାରୀମାନେ ଏହି ଦୁଇ ଆଇଏଏସ ଅଧିକାରୀଙ୍କ ସହ ଦୁଇ କମିଟି ସଦସ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରିବାର ଆବଶ୍ୟକତା ରହିଛି । ଯଦି ଏଥିରେ କିଛି ବ୍ୟତିକ୍ରମ ସରକାରଙ୍କ ପକ୍ଷରୁ କରାଯାଏ ତେବେ ଆଗାମୀ ଦିନରେ ଏହାକୁ ନେଇ ଜନ ଅଦାଲତକୁ ଯିବୁ ବୋଲି ଶ୍ରୀ ଦାସ କହିଛନ୍ତି । ଏହି ପ୍ରସଙ୍ଗରେ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ସୁଶାନ୍ତ ପାଢ଼ୀ କହିଛନ୍ତି ଯେ ପ୍ରଥମେ ଏ ନେଇ ଲୋକାୟୁକ୍ତରେ ପରିଷଦପକ୍ଷରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଗତକାଲି ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି ।

ଏଥିରେ ସ୍ବର ମିଳାଇ ବିରୋଧୀଦଳ ନେତା କହିଛନ୍ତି ଯେ ରାଜ୍ୟ ସରକାର କୋଭିଡ଼ ସାମଗ୍ରୀ କିଣାରେ ଦୁର୍ନୀତି କରିଛନ୍ତି, ଏହି କଥାର କିଛିଟା ସତ୍ୟତା ରହିଛି ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦିଆଯାଇଛି । ଆଗାମୀ ଦିନରେ ଏହାର ତଦନ୍ତ ଠିକ୍ ବାଟରେ ଗଲେ ବହୁ ନେତା, ମନ୍ତ୍ରୀ ଓ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ । ଅନ୍ୟପକ୍ଷରେ ବିଜେଡ଼ି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ଭିଜିଲାନ୍ସ ଉପରେ ଭରସା କରି ଲୋକାୟୁକ୍ତଙ୍କ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯାଇଛି । ଏହାଦ୍ବାରା ଅଭିଯୋଗର ସତ୍ୟତା ଆସିପାରିବ । ଏଥିପାଇଁ ଅପେକ୍ଷା ନକରି ସରକାରଙ୍କୁ ଅଭ୍ୟାସଗତ ଭାବେ ବଦନାମ କରିବା ଠିକ୍ ନୁହେଁ ।

Show More
Back to top button