ନଭେମ୍ବର ୧ ତାରିଖରେ ବଦଳିଯିବ ଅନେକ ନିୟମ

ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୦/୨୦୨୦ : ଆସନ୍ତାକାଲି, ନଭେମ୍ବର ୧ ତାରିଖରୁ ଦେଶରେ ଦୈନନ୍ଦିନ ଜୀବନ ସହ ଜଡିତ ଅନେକ ନିୟମ ପରିବର୍ତ୍ତନ ହେବ। ଏହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିବ। ନଭେମ୍ବର ୧ ତାରିଖ ରବିବାର ଠାରୁ ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ଟ୍ରେନ ଟାଇମ ଯାଏଁ ଅନେକ ନିୟମ ପରିବର୍ତ୍ତନ ହେବ। ଜାଣନ୍ତୁ ନୂଆ ନିୟମ କଣ କଣ :

ଏଲପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମରେ ପରିବର୍ତ୍ତନ

ନଭେମ୍ବର ୧ ତାରିଖରୁ ଏଲପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିଯିବ। ତୈଳ କମ୍ପାନୀ ୧ ତାରିଖରୁ ଡେଲିଭରି ଅଥେଣ୍ଟିକେସନ୍ କୋଡ (DAC) ସିଷ୍ଟମ ଲାଗୁ କରିବ। ଗ୍ୟାସ ଡେଲିଭରି ପୂର୍ବରୁ ଉପଭୋକ୍ତାଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ପଠାଯିବ। ସିଲିଣ୍ଡର ଘରକୁ ଆସିଲେ ସେହି ଓଟିପି ଡେଲିଭରି ବଏ ସହ ସେୟାର କରିବାକୁ ହେବ। ଓଟିପି ସିଷ୍ଟମ ସହ ମ୍ୟାଚ ହେବାପରେ ସିଲିଣ୍ଡର ଡେ଼ଲିଭର ହେବ।

ଇଣ୍ଡେନ ଗ୍ୟାସ ବୁକିଂ ନମ୍ବର ପରିବର୍ତ୍ତନ

ଯଦି ଆପଣ ଇଣ୍ଡେନ ଗ୍ୟାସ ଗ୍ରାହକ ତାହେଲେ ଆଉ ପୁରୁଣା ନମ୍ବରରେ ଗ୍ୟାସ ବୁକିଂ କରିପାରିବେ ନାହିଁ। ଇଣ୍ଡେନ ନିଜର ଏଲପିଜି ଗ୍ରାହକଙ୍କୁ ତାଙ୍କର ପଞ୍ଜିକୃତ ମୋବାଇଲ ନମ୍ବରକୁ ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ପଠାଇଛି। ବର୍ତ୍ତମାନ ଇଣ୍ଡେନ ଗ୍ରାହକଙ୍କୁ ସିଲିଣ୍ଡର ବୁକିଂ ପାଇଁ 7718955555 ଏହି ନମ୍ବରରେ କଲ କିମ୍ବା ଏସଏମଏସ କରିବାକୁ ହେବ।

ବଦଳିଲା ଗ୍ୟାସ ସିଲିଣ୍ଡର ଦାମ

ଦେଶର ସରକାରୀ ତୈଳ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର୍ ଦାମ୍ ନିର୍ଣ୍ଣୟ କରିଥାଏ। କେବେ ଦାମ୍ ବୃଦ୍ଧି ପାଇଥାଏ ତ ପୁଣି କେବେ ହ୍ରାସ ପାଇଥାଏ। ନଭେମ୍ବର ୧ ତାରିଖରୁ ସିଲିଣ୍ଡର ଦାମ୍ ବଦଳିପାରେ। ଅକ୍ଟୋବର ମାସରେ ତୈଳ କମ୍ପାନୀ କମର୍ସିୟାଲ୍ ସିଲିଣ୍ଡର୍ ଦାମ୍ ବୃଦ୍ଧି କରିଥିଲା।

ବଦଳିବ ଟ୍ରେନ୍ ଟାଇମ୍ ଟେବୁଲ୍

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ୧ ତାରିଖରୁ ଭାରତୀୟ ରେଳ ସାରା ଦେଶର ଟ୍ରେନ୍ ଟାଇମ୍ ବଦଳାଇବାକୁ ଯାଉଛି। ୧ ତାରିଖରୁ ନୂଆ ଟାଇମ ଟେବୁଲ ଜାରି ହେବ। ୧୩ ହଜାର ଯାତ୍ରୀବାହୀ ଟ୍ରେନ୍ ଓ ୭ ହଜାର ମାଲବାହୀ ଟ୍ରେନ୍ ଟାଇମ୍ ବଦଳିଯିବ। ଦେଶର ୩୦ ରାଜଧାନୀ ଟ୍ରେନ୍ ଟାଇମ୍ ଟେବୁଲ୍ ମଧ୍ୟ ୧ ତାରିଖରୁ ବଦଳିଯିବ। ୧ ତାରିଖରୁ ପ୍ରତ୍ୟେକ ବୁଧବାର ଛାଡି ଚଣ୍ଡୀଗଡ଼ରୁ ନୂଆଦିଲ୍ଲୀ ମଧ୍ୟରେ ତେଜସ୍ ଏକ୍ସପ୍ରେସ୍ ଚାଲିବ।

ଏସବିଆଇ ଶେଭିଂ ଆକାଉଣ୍ଟରେ କମ ସୁଧ ମିଳିବ

ନଭେମ୍ବର ୧ ତାରିଖରୁ ଏସବିଆଇର ମଧ୍ୟ କିଛି ନିୟମ ପରିବର୍ତ୍ତନ ହେବ। ଏସବିଆଇ ଶେଭିଂ ଖାତାରେ କମ ସୁଧ ମିଳିବ। ୧ ତାରିଖରୁ ଯେଉଁ ଶେଭିଂ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ଯାଏଁ ରାଶି ଜମା ଅଛି ସେଥିରେ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ ପାଇ ୩.୨୫ ପ୍ରତିଶତ ହେବ। ଏକ ଲକ୍ଷ ଟଙ୍କାରୁ ଅଧିକ ରାଶି ଜମା ଥିଲେ ରେପୋ ରେଟ ଅନୁସାରେ ସୁଧ ମିଳିବ।

Exit mobile version