ମାନସ ସ୍ୱାଇଁ ହତ୍ୟା ମାମଲା: ଚାନ୍ଦବାଲିରେ ଅପହରଣର ଡେମୋ ଦେଖାଇଲେ ଶର୍ମିଷ୍ଠା

ଦୟାଲ ଆଶ୍ରମ ଓ ରଣପୁର ନିଆଯାଇ ବି କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ ନିଆଯାଇଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି।
ତାଙ୍କର ସୂଚନା ଅନୁଯାୟୀ ଶର୍ମିଷ୍ଠାଙ୍କୁ ପ୍ରଥମେ ଚାନ୍ଦବାଲି, ତାପରେ ଦୟାଲ ଆଶ୍ରମ ଓ ରଣପୁର ନିଆଯାଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବ। ମିଳିଥିବା ତାଜା ସୂଚନା ଅନୁଯାୟୀ, ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ଚାନ୍ଦବାଲିର ପଳାସପୁରରେ ଶର୍ମିଷ୍ଠା ରାଉତଙ୍କୁ ନେଇଥିଲେ। ସେଠାରେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କିଭଳି ଅପହରଣ କରାଯାଇଥିଲା, ତାର କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା। ଗାଁରେ ଶର୍ମିଷ୍ଠା ରାଉତଙ୍କୁ ଦେଖିବା ଲାଗି ଗାଁରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠା ରାଉତଙ୍କୁ ଧରି ଭୁବନେଶ୍ବରର ଦୟାଲ ଆଶ୍ରମକୁ ନେଇଯାଉଛନ୍ତି।
ଏଣେ ଗତକାଲି ରାଜ୍ ଓରଫ ରଂଜନ ନାୟକ ସତ ଓଗାଳିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଛି ଯେ ପଚରାଉଚରା ବେଳେ ଅଭିଯୁକ୍ତ ରଂଜନ ନାୟକ ମୃତ ମାନସ ସ୍ବାଇଁଙ୍କୁ ଚାନ୍ଦବାଲି ଥାନା ଅଧୀନରେ ଥିବା ପଳାସପୁରରୁ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ଭାଗିଧର ନାୟକ, ନିଲୁ @ ବିବେକଙ୍କୁ ଶର୍ମିଷ୍ଠା ରାଉତଙ୍କ କାରରେ ଆଣିଥିବାର ସ୍ୱୀକାର କରିଛନ୍ତି। ସେମାନେ ଏୟାରଫିଲ୍ଡ ଥାନା ଅଧୀନରେ ଥିବା ଦୟାଲ ଆଶ୍ରମରେ ଅତି ନିର୍ମମ ଭାବରେ ମାନସ ସ୍ବାଇଁଙ୍କୁ ଆକ୍ରମଣ କରିଥିଲେ। ନିରଂଜନ ସେଠୀ ମଧ୍ୟ ଆଶ୍ରମରେ ମୃତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୃତ୍ୟୁ ପରେ ସେମାନେ ମାନସ ସ୍ବାଇଁଙ୍କୁ ମୃତଦେହକୁ ଶର୍ମିଷ୍ଠା ରାଉତଙ୍କ କାରରେ କାରରେ ସ୍ଥାନାନ୍ତର କରି ରଣପୁର ଥାନା ଅଞ୍ଚଳରେ ପେରତିଥିଲେ। ଏହାପରେ ସେମାନେ ଚଣ୍ଡିଖୋଲଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଦୈତାରୀ – ପାରାଦୀପ ଏକ୍ସପ୍ରେସ ରାସ୍ତାରେ ଅବସ୍ଥିତ ଏକ ସ୍ଥାନକୁ ଯାଇଥିଲେ। ସେଠାରେ ସେମାନେ ଗୋଟିଏ ମୋବାଇଲ୍ ଇୟର ଫୋନ୍, ମୃତ ମାନସର ଗୋଟିଏ ହଳ ଚପଲ୍ ଏବଂ ଅଖା ଆଦି ଜିନିଷ ପୋଡ଼ି ଦେଇଥିଲେ। ଏହାଛଡ଼ା ସେମାନେ ମୃତଦେହକୁ ଯେଉଁ ଶାଢ଼ିରେ ଗୁଡ଼ାଇ ରଖିଥିଲେ ଏବଂ ମୃତଦେହ ଖୋଳିବା ଏବଂ ପୋତି ଦେବା ପାଇଁ ବ୍ୟବହୃତ କୋଦାଳ ଏବଂ ଗଇଁତି ଫିଙ୍ଗିଥିଲେ।

Exit mobile version