

ସତ୍ୟଶିଖା( ଭଦ୍ରକ )୧୬.୦୪.୨୦୨୨ : ଭଦ୍ରକ ଜେଲରେ କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ୍ ପହଞ୍ଚିଥିବା ଜଣାଯାଇଛି। ନୟାଗଡ଼ର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଏହି ଟିମ୍ ତଦନ୍ତ ଆରମ୍ଭ କରିଛି। ହତ୍ୟା ମାମଲାରେ ସଂପୂର୍ଣ୍ଣ ୱେବ୍ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କର ଗିରଫ ହୋଇଥିବା ଦୁଇ ସହଯୋଗୀ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଜେଲ୍ ଭିତରେ ପଚରାଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ୍ । କ୍ରାଇମବ୍ରାଞ୍ଚର ଡିଏସପି କଲ୍ପନା ସାହୁଙ୍କ ନେତୃତ୍ଵରେ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ କୋଲକାତାରୁ ବସ୍ ଯୋଗେ ଭୁବନେଶ୍ବର ଆସୁଥିବା ଖବର ପାଇ କ୍ରାଇମବ୍ରାଞ୍ଚର ଦୁଇଟି ଓ ଭଦ୍ରକ ପୁଲିସର ଚାରିଟି ଟିମ୍ ଜାଲ ବିଛାଇଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ତିନିଟି ପୁଲିସ ଭ୍ୟାନ୍ ବସ୍କୁ ପିଛା କରିବା ପରେ ରାଜପଥର ନଳାଙ୍ଗ ସାଇମନ୍ଦିର ନିକଟରେ ଅଟକାଇ ଉଭୟଙ୍କୁ ଗିରଫ କରିଥିଲେ। ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ଉଭୟ ମାସ୍କ ପିନ୍ଧିଥିବା ବେଳେ ମୁହଁକୁ ଢାଙ୍କି ରଖିଥିଲେ। ଗିରଫ ପରେ ଉଭୟଙ୍କୁ ପ୍ରଥମେ ଭଦ୍ରକ ପୁଲିସ ରିଜର୍ଭ ବାରାକ୍ ଓ ପରେ ତିହିଡ଼ି ଥାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଦୁହିଁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଚାନ୍ଦବାଲି ଥାନା ନିଆଯାଇଥିଲା।