ସତ୍ୟଶିଖା ୨୩ /୧୨/୨୦୨୦ : ଦିନକୁ ଦିନ ମମତାଙ୍କ ମମତା ଦଳ ଭିତରେ କାମ ଦେଉନି । ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ସାଂସଦ ସୁନିଲ ମଣ୍ଡଳ ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେବା ପରେ ମମତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି (ବୁଧବାର) ମମତାଙ୍କ ଦ୍ୱାରା ଡକାଯାଇଥିବା କ୍ୟାବିନେଟ୍ ବୈଠକରେ ପୁଣି ୪ ଜଣ ମନ୍ତ୍ରୀ ଅନୁପସ୍ଥିତ ରହିବା ନେଇ ମମତାଙ୍କୁ ଶକ୍ତ ଝଟକା ଲାଗିଛି ।
ସୂଚନା ମୁତାବକ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଚିବାଳୟରେ କ୍ୟାବନେଟ୍ ବୈଠକ ଡାକିଥିଲେ । ହେଲେ ବୈଠକ ଶେଷ ହୋଇଥିଲେ ବି ୪ ଜଣ ମନ୍ତ୍ରୀ ବୈଠକରେ ଯୋଗ ନଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନୁପସ୍ଥିତ ଥିବା ୪ ମନ୍ତ୍ରୀ ହେଲେ ପର୍ଯ୍ୟଟନ ମନ୍ତ୍ରୀ ଗୌତମ ଦେବ, ଉତ୍ତରବଙ୍ଗ ବିକାଶ ମନ୍ତ୍ରୀ ରବୀନ୍ଦ୍ରନା ଘୋଷ, ମତ୍ସ୍ୟ ସଂପଦ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା ଓ ବନ ବିଭାଗ ମନ୍ତ୍ରୀ ରାଜୀବ ବାନାର୍ଜୀ । ସେମାନେ କାହିଁକି ବୈଠକରେ ଅନୁପସ୍ଥିତ ରହିଲେ ସେନେଇ ସେମାନଙ୍କ ତରଫରୁ କୌଣସି ସ୍ପଷ୍ଟ କାରଣ ଦର୍ଶାଯାଇ ନଥିବା ବେଳେ ଦଳ ପକ୍ଷରୁ ବି କୌଣସି କାରଣ ଦର୍ଶାଯାଇ ନାହିଁ । ହେଲେ ଅମିତ୍ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ଯେଭଳି ଭାବେ ମମତାଙ୍କ ଦଳରୁ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସହ ହଜାର ହଜାର କର୍ମୀ ବିଜେପିରେ ଯୋଗ ଦେଉଛନ୍ତି ତାହାକୁ ଅନୁଧ୍ୟାନ କଲେ ଏମାନେ ବି ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।