ନ୍ୟୁଜ୍

ମହାନଦୀ ଜଳବିବାଦ ମାମଲା, ଆଜି ଟ୍ରିବ୍ୟୁନାଲରେ ଶୁଣାଣି l

ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୧୦/୨୦୨୦ : ଜଟିଳ ହେଉଛି ତିନି ଜଳ ବିବାଦ ମାମଲା । ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ଆଜି । ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ପ୍ରକଳ୍ପ ମାମଲା, ମହାନଦୀ ଜଳବିବାଦ ମାମଲା ଓ ବଂଶଧାରା ଜଳବିବାଦ ମାମଲାରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳିପାରିନାହିଁ । ପୋଲାଭରମ୍ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହେବ ।

ସେହିପରି ବଂଶଧାରା ଜଳବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲ ବିଚାରାଧୀନ ରହିଛି । ଚଳିତ ମାସ ୬ ତାରିଖରେ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ତାରିଖ ଧାର୍ଯ୍ୟ କରିଛନ୍ତି । ଆଜି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହନଦୀ ଜଳବିବାଦ ସମାଧାନ ପାଇଁ ଗଠନ କରାଯାଇଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ମାମଲାର ଶୁଣାଣି କରିବେ। ଟ୍ରିବ୍ୟୁନାଲ ଗଠନ ହେବା ପରଠାରୁ ୧୫ଟି ଶୁଣାଣି ଶେଷ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ ଅନ୍ତରୀଣ ଆଦେଶ ଶୁଣାଇନାହାନ୍ତି ।

ମୂଳ ଆବେଦନର ଶୁଣାଣି ପାଇଁ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିସାରିଛନ୍ତି । ଅଥଚ ଓଡ଼ିଶାର ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରି ଦୀର୍ଘଦିନରୁ ରାୟ ସଂରକ୍ଷିତ ରଖିଛନ୍ତି । ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରୁ ଆପୋସ ସମାଧାନ ପାଇଁ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ । ଦୁଇ ରାଜ୍ୟ ମଧ୍ୟରେ ଗତମାସରେ ବି ବୈଠକ ବସିବାର ଥିଲା । ମାତ୍ର, କରୋନା ଯୋଗୁ ତାହା ସମ୍ଭବପର ହୋଇନାହିଁ । ପୁଣିଥରେ ବୈଠକ ପାଇଁ ଆଜିର ଶୁଣାଣି ସମୟରେ ଦୁଇ ରାଜ୍ୟମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯିବାର ସମ୍ଭାବନା ରହିଛି । ମୂଳ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ଆଜି ତାରିଖ ଧାର୍ଯ୍ୟ କରିବାର ସମ୍ଭାବନା ରହିଛି ।

Show More
Back to top button