

ସତ୍ୟଶିଖା(ଭୁବନେଶ୍ୱର )୨୫.୧୦ .୨୦୨୧: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜକୁ ନେଇ ନାନା ବିବାଦ ଭିତରେ ଏକ ସରକାରୀ ନିଷ୍ପତିକୁ ନେଇ ପ୍ରଶ୍ନ ଉଠିଛି । ମମିତା ହତ୍ୟା ମାମଲାରେ ଗିରଫ ଗୋବିନ୍ଦ ସାହୁଙ୍କ ଏହି କଲେଜକୁ ମାଳମାଳ ସରକାରୀ ଯୋଜନାର ଅନୁଦାନ ଆସୁଥିଲା । ଯାହାକୁ ନେଇ ତମ୍ବିତୋଫାନ ଚାଲିଛି । ଆଉ ଏକିତିବେଳେ ଅଟକି ଯାଇଛି ଗୋଲାମୁଣ୍ଡା ବିଡିଓଙ୍କ ବଦଳି ନିର୍ଦ୍ଦେଶ । କୁହାଯାଉଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ୨୦୧୮ ମସିହାରେ ବଦଳି ହୋଇ ଆସିଥିଲେ । ଏଠାରେ ୫ ବର୍ଷ ରହଣୀ ପରେ ତାଙ୍କୁ କଳାହାଣ୍ଡି ଜିଲ୍ଲା ସିଡିଏମଓଙ୍କ କାର୍ଯ୍ୟାଳୟରେ ପ୍ରାଶାସନିକ ଅଧିକାରୀ ଭାବେ ବଦଳି କରାଯାଇଥିଲା । କିନ୍ତୁ ଗତ ଶନିବାର ହଠାତ ବିଡିଓଙ୍କ ବଦଳିକୁ ବାତିଲ କରାଯାଇଛି । ତାଙ୍କ ବଦଳିକୁ ଅଟକାଇବା ପଛରେ କାହାର ଚାପ ରହିଛି ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସେହପରି କଲେଜକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ପୁଳାପୁଳା ଅନୁଦାନ ମିଳିଥିବା ଅଭିଯୋଗ ମଧ୍ୟ ରହିଛି । କୁହାଯାଉଛି ଡବ୍ଲୁଓଡିସି ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଆଇଏଏସ ପ୍ରେମାନିଧି ସେଠ ସିଇଓ ଭାବେ ପ୍ରାୟ ୩ ବର୍ଷ କାର୍ଯ୍ୟ କରିଥିଲେ । ସେହି ସମୟରେ ମହାଲିଙ୍କ କଲେଜକୁ ଡବ୍ଲୁଓଡିସି ପାଣ୍ଠିରୁ ବହୁ ପରିମାଣରେ ଅନୁଦାନ ଆସିଥିବା କୁହାଯାଉଛି । ତେବେ ବର୍ତମାନ ସେ ଅବସର ନେଇସାରିଥିବେବେଳେ ତାଙ୍କୁ ପୁଣି କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ୪ ବର୍ଷ ପାଇଁ ନିଯୁକ୍ତି ମିଳିଛି । ଆଉ ଏହା ପଛରେ ମଧ୍ୟ ପ୍ରଭାବଶାଳୀଙ୍କ ସୁପାରିଶ ରହିଥିବା କଥା ଚର୍ଚ୍ଚା ହେଉଛି ।