

ସତ୍ୟଶିଖା,(ନୂଆଦିଲ୍ଲୀ) ୨୬ .୦୩ .୨୦୨୧ : କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପୁଣି ଥରେ ସର୍ବଭାରତୀୟ ଲକ୍ଡାଉନ୍ ଘୋଷଣା ହେବାର ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ନିଜର ମତ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗତବର୍ଷ ଆମେ ଯେଉଁଭଳି ଲକ୍ଡାଉନ୍ ସାମ୍ନା କରିଥିଲେ ବର୍ତ୍ତମାନ ପରିସ୍ଥିତିରେ ସେଭଳି ଲକ୍ଡାଉନ୍ ହେବା ଭଳି ମନେ ହେଉନି। ଗତବର୍ଷ ବହୁତ ବଡ଼ ଝଟ୍କା ଲାଗିଥିଲା ବୋଲି ସେ କହିଛନ୍ତି। ତେବେ ଅର୍ଥନୀତିରେ ଯେଉଁ ସୁଧାର ଧାରା ଜାରି ରହିଛି ତାହା ଆଗକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ବଣ୍ଡ୍ ବଜାର ସମ୍ପର୍କରେ ସେ କହିଛନ୍ତି ଯେ ବଜାର ଓ କେନ୍ଦ୍ରୀୟ ବ୍ୟାଙ୍କ ଭିତରେ କୌଣସି ଲଢ଼େଇ ହେଉନି। ତେବେ ବଣ୍ଡ୍ରୁ ମିଳୁଥିବା ରିଟର୍ଣ୍ଣରେ ହଠାତ୍ ବୃଦ୍ଧି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ପର୍ୟ୍ୟାୟକ୍ରମେ ସେଥିରେ ବୃଦ୍ଧି ହେଉ ବୋଲି ରିଜର୍ଭ ବ୍ୟାଙ୍କ ଚାହୁଥିବା ଶକ୍ତିକାନ୍ତ କହିଛନ୍ତି। ବୈଦେଶିକ ମୁଦ୍ରା ବଜାରରେ ମଧ୍ୟ ଅଧିକ ଅସ୍ଥିରତା ହେଉ ବୋଲି ସେ ଚାହୁନାହାନ୍ତି। ବିକଶିତ ଦେଶଗୁଡ଼ିକ ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ୍ ହଠାତ୍ ପ୍ରତ୍ୟାହାର କରିନେଲେ ଭାରତ ଭଳି ଦେଶ ଉପରେ ତାହାର ଗଭୀର ପ୍ରଭାବ ପଡ଼ିବ। ସେଭଳି ପରିସ୍ଥିତିର ମୁକାବିଲା ଲାଗି ଭାରତ ପାଖରେ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ରହିଛି ଯାହା ୧୮ ମାସର ଆମଦାନି ଆବଶ୍ୟକତା ପୂରଣ କରିପାରିବ। ବୈଦେଶିକ ମୁଦ୍ରା ଭଣ୍ଡାରର କୌଣସି ସ୍ତର ନିର୍ଧାରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ଡଲାର ତୁଳନାରେ ଟଙ୍କା ମୂଲ୍ୟ କିଭଳି ସ୍ଥିର ରହିବ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି।
ଡିଜିଟାଲ୍ ପେମେଣ୍ଟ୍ ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ ଏ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଡଲାର ମଧ୍ୟ ପଠାଇ ହେବ। ରିଜର୍ଭ ବ୍ୟାଙ୍କର ବିଭିନ୍ନ ପେମେଣ୍ଟ୍ ବ୍ୟବସ୍ଥା କିଭଳି ଦେଶ ବାହାରେ ପହଞ୍ଚିପାରିବ ତାହାର ସମ୍ଭାବନାକୁ ବିଚାର କରାଯାଉଛି ବୋଲି ସେ କହିଛନ୍ତି। ବିଟ୍କଏନ୍ ଭଳି ଡିଜିଟାଲ୍ ମୁଦ୍ରାକୁ ନେଇ ସରକାରଙ୍କ ସହ କୌଣସି ମତଭେଦ ନାହିଁ ବୋଲି ଶକ୍ତିକାନ୍ତ ଆଜି ସ୍ପଷ୍ଟ କରିଛନ୍ତି। ଡିଜିଟାଲ୍ ମୁଦ୍ରାକୁ ନେଇ ରହିଥିବା ଆଶଙ୍କା ବିଷୟରେ ସରକାରଙ୍କୁ ଅବଗତ କରାଯାଇଛି। ନିଜର ଡିଜିଟାଲ୍ ମୁଦ୍ରା ଆଣିବା ଉପରେ ରିଜର୍ଭ ବ୍ୟାଙ୍କ କାମ କରୁଛି ବୋଲି ସେ କହିଛନ୍ତି। ବ୍ୟାଙ୍କ ଘରୋଇକରଣ ସମ୍ପର୍କରେ ସେ କହିଛନ୍ତି ଯେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଏନେଇ ବଜେଟ୍ ପୂର୍ବରୁ ଆଲୋଚନା ହୋଇଥିଲା ଓ ବଜେଟ୍ ପରେ ମଧ୍ୟ ଆଲୋଚନା ହୋଇଛି। ଏହି ପ୍ରକ୍ରିୟା ଆଗକୁ ବଢ଼ିଛି ବୋଲି ସେ କହିଛନ୍ତି।