

ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୧/୨୦୨୧: ଅର୍ଥନୈତିକ ସର୍ଭେ ରିପୋର୍ଟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ ମହାଭାରତ ଶ୍ଳୋକ ଠାରୁ ଆରମ୍ଭ କରି କାଳିଦାସ, ମହାତ୍ମା ଗାନ୍ଧୀ ଓ ରବିନ୍ଦ୍ର ନାଥ ଟାଗୋରଙ୍କ ଭଳି ବିଖ୍ୟାତ କବିଙ୍କ ବାଣୀ ଓ ପଙ୍କ୍ତିକୁ ଉଦ୍ଧାର କରି ବ୍ୟବହାର କରିଛନ୍ତି । ମହାଭାରତର ଅଧ୍ୟୟ ୧୩ର ଶ୍ଳୋକ ୫୯୮କୁ ସେ ବ୍ୟବହାର କରିଛନ୍ତି । ଶ୍ଳୋକଟି ହେଉଛି ‘ଆପଦି ପ୍ରାଣରକ୍ଷା ଧର୍ମସ୍ୟ ପ୍ରଥମାଙ୍କୁରଃ’ । ଅର୍ଥାତ ସଙ୍କଟରେ ପଡ଼ିଥିବା ଜୀବନ ବଞ୍ଚାଇବାରୁ ହିଁ ଧର୍ମର ମୂଳ ତତ୍ତ୍ବ । କରୋନା ମହାମାରୀ ସମୟରେ ଜୀବନ ଜୀବିକା ରକ୍ଷା କରିବା ଲାଗି ନିଆଯାଇଥିବା କଠୋର ଲକ୍ଡାଉନ୍ କଟକଣାକୁ ଯଥାର୍ଥ ସାବ୍ୟସ୍ତ କରିବା ଲାଗି ମହାଭାରତର ଏହି ଶ୍ଳୋକକୁ ସର୍ଭେରେ ବ୍ୟବହାର କରାଯାଇଛି । ସର୍ଭେର ଅଧ୍ୟାୟ ୨୦ରେ ଉପନିଷଦର ଏକ ବାଣୀକୁ ବ୍ୟବହାର କରାଯାଇଛି ।
ବିଶିଷ୍ଟ ସାହିତ୍ୟିକ ଆର କେ ନାରାୟଣନ୍ଙ୍କ ପ୍ରସିଦ୍ଧ ମାଲଗୁଡ଼ି ଡେଜ୍ ପୁସ୍ତକର ଚରିତ୍ର ଏବଂ ଅମିର ଖାନ୍ଙ୍କ ଅଭିନୀତ ଥ୍ରୀ ଇଡିଅଟ୍ସ ସଂପର୍କରେ ମଧ୍ୟ ସର୍ଭେରେ ଉଲ୍ଲେଖ କରାଯାଇଛି । ଚତୁର୍ଥ ଅଧ୍ୟାୟର ବିଷୟବସ୍ତୁ ରହିଛି ଅସମାନତା ଏବଂ ଅଭିବୃଦ୍ଧି: ସଂଘର୍ଷ ନା ସମନ୍ବୟ? ଏଥିରେ କୁହାଯାଇଛି ଯେ, ଅର୍ଥନୈତିକ ଅଭିବୃଦ୍ଧିର ଏକ ବଡ଼ ପ୍ରଭାବ ଅସମାନତା ବଦଳରେ ଦାରିଦ୍ର୍ୟ ଦୂରୀକରଣ ଉପରେ ରହିଛି । ତେଣୁ ଭାରତୀୟମାନଙ୍କୁ ଦାରିଦ୍ର୍ୟ ସୀମା ରେଖା ଉପରକୁ ନେବା ପାଇଁ ହେଲେ ଅଭିବୃଦ୍ଧି ଉପରେ ପ୍ରାଧାନ୍ୟ ଦେବାକୁ କୁହାଯାଇଛି । ସର୍ଭେର ପଞ୍ଚମ ଅଧ୍ୟାୟରୁ ନବମ ଅଧ୍ୟାୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ଉପରେ ଆଲୋଚନା କରିଛନ୍ତି । ୫ ଅଧ୍ୟାୟରେ ସେ ସ୍ବାସ୍ଥ୍ୟସେବା ଶେଷରେ କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି କହିଛନ୍ତି । ସେହିଭଳି ନବମ ଅଧ୍ୟାୟରେ ସେ ‘ଜୟ ହୋ: ଆୟୁଷ୍ମାନ ଭାରତ୍’ସ ଜନ ଆରୋଗ୍ୟ ଯୋଜନା (ଜୟ) ଆଣ୍ଡ୍ ହେଲ୍ଥ କେୟାର’ ରଖିଛନ୍ତି । ସେ ଏଠାରେ ହିନ୍ଦୀ ସିନେତା ଥ୍ରୀ ଇଡିଅଟ୍ର ଉଦାହରଣ ଦେଇଛନ୍ତି । ସିନେମାରେ ଜଣେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତିର ମା’ ତାଙ୍କ ଦରମାର ଅଧିକାଂଶ ରାଶି କିଭଳି ସ୍ବାମୀଙ୍କ ଚିକିତ୍ସାରେ ବ୍ୟୟ ହେଉଛି ତାହା ଉଲ୍ଲେଖ କରିଛନ୍ତି । ଏହି ଖର୍ଚ୍ଚ ଯୋଗୁ ତାଙ୍କ ନିକଟରେ ପରିବାରର ଅନ୍ୟ ଖର୍ଚ୍ଚ କରିବାକୁ ଟଙ୍କା ବଞ୍ଚୁନାହିଁ ବୋଲି କହିଛନ୍ତି । ଭାରତୀୟମାନେ ଚିକିତ୍ସା ପାଇଁ କରୁଥିବା ବ୍ୟୟର ପ୍ରତିଫଳନ ଏହି ଚରିତ୍ରରେ ଦର୍ଶାଯାଇଛି । ବିଶେଷକରି କରୋନା ମହାମାରୀ ସମୟରେ ଏହି ଉଦାହରଣ ପ୍ରାସଙ୍ଗିକ ବୋଲି ସୁବ୍ରମଣ୍ୟମ୍ କହିବା ସହିତ ଶେଷରେ ସ୍ବାସ୍ଥ୍ୟସେବା ହିଁ କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଉଲ୍ଲେଖ କରିଛନ୍ତି । ସେହିପରି, କାଳିଦାସଙ୍କ ରଘୁବଂଶମ୍ର ଅଧ୍ୟାୟ ୧ର ଶ୍ଳୋକ ୧୮, ଗ୍ରିକ୍ ଦାର୍ଶନିକ ଆରିଷ୍ଟୋଟଲ୍, ଜାତିର ପିତା ମହାତ୍ମା ଗାନ୍ଧୀ, ଆମେରିକାର ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିଅର, ରୁଡ୍ୟାର୍ଡ କିପ୍ଲିଙ୍ଗ୍ଙ୍କ ଜଙ୍ଗଲ୍ ବୁକ୍ ଓ ତାମିଲ କବି ଥିରୁଭେଲ୍ଲାରଙ୍କ ବାଣୀକୁ ସର୍ଭେ ରିପୋର୍ଟରେ ବ୍ୟବହାର କରାଯାଇଛି ।