

ସତ୍ୟଶିଖା(ପ୍ରୟାଗରାଜ ) ୦୫.୦୧.୨୦୨୨ : କରୋନା ଭାଇରସ ମହାମାରୀ ଏବଂ ଏହାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ସଂକ୍ରମଣ ବଢ଼ିବା କାରଣରୁ ଉତ୍ତର ପ୍ରଦେଶ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ଏନେଇ ଯୋଗୀ ସରକାର ମଙ୍ଗଳବାର କଟକଣା ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡଲାଇନ୍ରେ କୁହାଯାଇଛି ଯେ, ଯେଉଁ ଭକ୍ତମାନେ ମାଘମେଳା ସମୟରେ ପ୍ରୟାଗରାଜକୁ ଶ୍ରଦ୍ଧାର ବୁଡ଼ ପକାଇବାକୁ ଆସୁଛନ୍ତି ୪୮ ଘଣ୍ଟା ଭିତର RT-PCR ରିପୋର୍ଟ ବାଧ୍ୟତାମୂଳକ ଭାବେ ନେଇକି ଆସିବେ। ପୁରୁଣା କୋଭିଡକୁ ଗ୍ରହଣ କରାଯିବ ନାହିଁ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଘ ମେଳାରେ ଯେପରି ଅବ୍ୟବସ୍ଥା ନ ହୁଏ, ସେଥିପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୟାଗରାଜ ମାଘ ମେଳାରେ ଶ୍ରଦ୍ଧାଳୁଙ୍କ ଯତ୍ନ ନେବା ପାଇଁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରୟାଗରାଜରେ ପ୍ରତିବର୍ଷ ବଡ଼ଧରଣର ମାଘ ମେଳା ଅନୁଷ୍ଠିତ ହୋଇଥାଏ। ଏଠାକୁ ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ବିଶେଷ କରି ସାଧୁସନ୍ଥମାନେ ବହୁଦିନ ଧରି ଏଠାରେ ଆଡ୍ହା ଲଗାଇଥାନ୍ତି। ଏଠାରେ ବହି ଯାଇଥିବା ପବିତ୍ର ଗଙ୍ଗାନଦୀରେ ଶ୍ରଦ୍ଧାର ବୁଡ଼ ପକାଇଲେ ପୂଣ୍ୟ ମିଳିଥାଏ। ପରିବାର ଉପରେ ସୁଖ ଓ ଶାନ୍ତି ଅଜାଡ଼ି ହୋଇଥାଏ। ପୌଷ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନେ ସଂଗମ (ଗଂଗା, ଯମୁନା ଓ ସରସ୍ବତୀର ମିଳନ ସ୍ଥଳୀ)ରେ ବୁଡ଼ ପକାଇଥାନ୍ତି। ମାଘମେଳା ସମୟରେ ଶ୍ରଦ୍ଧାଳୁମାନେ ଗଙ୍ଗାନଦୀ କୂଳରେ ରହିଥାନ୍ତି। ଏଥି ପାଇଁ ଏଠାରେ ବଡ଼ ବଡ଼ ଟେଣ୍ଟର ବ୍ୟବସ୍ଥା କରାଯାଇଥାଏ। ଶ୍ରଦ୍ଧାଳୁମାନେ ସକାଳୁ ବୁଡ଼ ପକାନ୍ତି ଏବଂ ଦିନ ସାରା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରନ୍ତି।






