ମଧ୍ୟପ୍ରଦେଶରେ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା

ସତ୍ୟଶିଖା( ଭୋପାଳ) ୨୨.୦୫.୨୦୨୧: କରୋନା ସଂକ୍ରମଣ ମଧ୍ୟରେ ବ୍ଲାକ ଫଙ୍ଗସ ଧିରେ ଧିରେ ଭୟର ବାତାବରଣ ସୃଷ୍ଟି କରୁଛି। ଦେଶରେ କେତେକ ସ୍ଥାନରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନିୟମିତ ହଜାର ହଜାର ଲୋକେ ଏଥିରେ ସଂକ୍ରମିତ ହେଉଛନ୍ତି। କେତେକ ରାଜ୍ୟରେ ଏହାକୁ ମହାମାରୀ ବୋଲି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ସରକାର ମଧ୍ୟ ଏହି ରୋଗକୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ସରକାର ଏବେ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଓ ମୃତକଙ୍କ ରେକର୍ଡ ରଖିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ମଧ୍ୟପ୍ରଦେଶରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ରାଜ୍ୟରେ ଏଯାଏଁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଲୋକେ ଏବେ ଏହି ରୋଗ ସହ ଲଢୁଛନ୍ତି। ବ୍ଲାକ ଫଙ୍ଗସର ରୋଗୀଙ୍କ ମଧ୍ୟରେ ଅଧିକାଂଶ ନିକଟରେ କରୋନାରୁ ଠିକ ହୋଇ ଘରକୁ ଫେରିଥିବା ରୋଗୀ ରହିଛନ୍ତି। ଏହି କାରଣରୁ ତାଙ୍କୁ ପୁନଃ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଛି। ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସର ସବୁଠାରୁ ଅଧିକ ମୃତ୍ୟୁକୁ ଦୃଷ୍ଟିରେ ରଖି କିଛିଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ମାନଙ୍କୁ ଚିଠି ଜରିଆରେ ଏହି ରୋଗକୁ ମହାମାରୀ ଘୋଷଣା କରିବା ପାଇଁ କହିବା ପରେ ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ସରକାର ଏହାକୁ ମହାମାରୀ ଘୋଷଣା କରି ସାରିଛନ୍ତି। କରୋନାରୁ ଠିକ ହେବା ପରେ ଏହି ରୋଗରେ ଆକ୍ରାନ୍ତ ହୋଇ ପୁଣି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ଦେଶରେ ଏଥିରେ ୧୦୦ରୁ ଅଧିକ ମୃତ୍ୟୁ ହୋଇସାରିଛି। ମହାରାଷ୍ଟ୍ର,ରାଜସ୍ଥାନରେ ବ୍ଲାକ ଫଙ୍ଗସର ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୯୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହରିୟାଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଏହି ରୋଗର ଔଷଧ ବଜାରରେ ଉପଲବ୍ଧ। ଔଷଧ ଆସିବା ପରେ ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ମାତ୍ର ସମସ୍ତ ମାର୍କେଟରେ ଏହି ଔଷଧ ନାହିଁ। ସ୍ୱତନ୍ତ୍ର କମ୍ପାନୀ ଖୁବ ଶୀଘ୍ର ସାରା ଦେଶରେ ଏହାକୁ ଉପଲବ୍ଧ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Exit mobile version