
ସତ୍ୟଶିଖା (ନୂଆଦିଲ୍ଲୀ) ୧୧/୦୧/୨୦୨୧ : କରୋନା ମାହାମାରୀ ମଧ୍ୟରେ ସାରା ବିଶ୍ୱ ଭାକସିନକୁ ଅପେକ୍ଷା କରିଛି । କରୋନା ଭାକସିନକୁ ନେଇ ଅନେକ ଦେଶ ଏବେ ଭାରତକୁ ସହାୟତା ମାଗିଛନ୍ତି । ଭାରତ ଭାକସିନର ଉତ୍ପାଦନ ଓ ରପ୍ତାନୀ ପାଇଁ ପ୍ରସ୍ତୁତ ଅଛି । ବ୍ରାଜିଲ, ମରକ୍କୋ, ସାଉଦି ଆରବ, ମିଆଁମାର, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶ ଭାରତଠୁ ଭାକସିନ୍ ଆମଦାନୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।
ସୂତ୍ରାନୁସାରେ, କରୋନା ଭାକସିନ ବିତରଣରେ ଭାରତ ସରକାର ବାଂଲାଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଭଳି ପଡୋଶୀ ଦେଶକୁ ଡୋଜ୍ ଦେବେ । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବଙ୍କ କହିବାନୁସାରେ, କୋଭିଡ-୧୯ ମାହାମାରୀ ବିରୋଧରେ ଲଢେଇ ଜାରି ରହିଛି । ଭାରତ ଏହି ପ୍ରକ୍ରିୟାରେ ବହୁତ ଆଗରେ ରହିଛି । ଏହାକୁ ଦେଶ ନିଜର କର୍ତ୍ତବ୍ୟ ଭାବେ ପାଳନ କରିବ ।ଅନେକ ଦେଶ ଭାରତକୁ ଅନୁରୋଧ କରିଛନ୍ତି ଯେ, ଗଭର୍ଣ୍ଣମେଣ୍ଟ ୨ ଗଭର୍ଣ୍ଣମେଣ୍ଟ ଆଧାରରେ ସିଧା ଭାକସିନ୍ ଡେଭଲପର୍ସଙ୍କୁ ନିର୍ଦ୍ଦେଶ ଦିଆଯାଉ । ଯେଉଁମାନେ ଭାରତରେ ଭାକସିନ୍ ତିଆରି କରୁଛନ୍ତି । ଖବର ଅନୁସାରେ, ନେପାଳ ଭାରତଠୁ ୧୨ ମିଲିୟନ କରୋନା ଭାକସିନ୍ ଡୋଜ୍ ଦାବି କରିଛି । ଭୁଟାନ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆଠୁ ୧ ମିଲିୟନ ଡୋଜ୍ ମାଗିଛି । ସେହିପରି ମିଆମାଁର ଏକ ବୁଝାବଣାରେ ସ୍ୱାକ୍ଷର କରିସାରିଛି । ସେହିପରି ବାଂଲାଦେଶ କୋଭିସିଲ୍ଡର ୩୦ ମିଲିୟନ ଡୋଜ୍ ଦେବାକୁ ଭାରତକୁ ଅନୁରୋଧ କରିଛି । ସୂଚନାଯୋଗ୍ୟ, କେବଳ ଏସିଆ ମହାଦେଶର ଦେଶ ନୁହେଁ ଅନ୍ୟ ଦେଶ ମଧ୍ୟ ଭାକସିନ୍ ପାଇଁ ଭାରତ ସହ ସମ୍ପର୍କ ପ୍ରତିଷ୍ଠା କରିଛନ୍ତି ।