ନ୍ୟୁଜ୍ରାଜ୍ୟ

ତଳମୁହାଁ ପାରଦ : ଥରାଉଛି ହାଡ଼ଭଙ୍ଗା ଜାଡ଼

ସତ୍ୟଶିଖା(ଭୁବନେଶ୍ୱର) ୦୧.୧୨.୨୦୨୧:   ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ମଙ୍ଗଳବାର ରାୟଗଡ଼ାକୁ ଛାଡ଼ି ବାକି ସମସ୍ତ ସହରରେ ପାରଦ ୨୦ ଡିଗ୍ରୀ ତଥା ତା’ଠୁ କମ୍ ରେକର୍ଡ ହୋଇଛି । ୧୬ ସହରରେ ପାରଦ ୧୫ ଡିଗ୍ରୀ ତଳେ ଥିବାବେଳେ ୨ ସହରରେ ୧୦ ଡିଗ୍ରୀ ତଳେ ରହିଛି । ଉଭୟ ସମତଳ ଓ ପାହାଡ଼ି ଅଞ୍ଚଳରେ ପାରଦ ଅପେକ୍ଷାକୃତ ହ୍ରାସ ପାଉଥିବା ନଜରକୁ ଆସୁଥିବା ବେଳେ ଗତ ୨୪ ଘଣ୍ଟାରେ ପାହାଡ଼ି ଅଞ୍ଚଳ ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ ଓ ସମତଳ ଅଞ୍ଚଳ ଫୁଲବାଣୀରେ ପାରଦ ୯ ଡିଗ୍ରୀ ରେକର୍ଡ ହୋଇଛି । ସକାଳୁ କିଛି କିଛି ସ୍ଥାନରେ ଘନକୁହୁଡ଼ି ନଜରକୁ ଆସୁଛି । ଏହି ପାଗ ଆହୁରି ରାଜ୍ୟରେ ଦିନେ ଦୁଇ ଦିନ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।
ସୂଚନା ମୁତାବକ, ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଛି ।

ପ୍ରାୟ ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇଛି । ଅନ୍ୟ ଥଣ୍ଡା ସହରଗୁଡ଼ିକ ମଧ୍ୟରେ ଟିଟିଲାଗଡ଼ରେ ୧୧.୩ ଡିଗ୍ରୀ, ସୋନପୁରରେ ୧୨ ଡିଗ୍ରୀ, କେନ୍ଦୁଝରଗଡ଼ରେ ୧୩.୪ ଡିଗ୍ରୀ, ଝାରସୁଗୁଡ଼ାରେ ୧୨.୮ ଡିଗ୍ରୀ, ହୀରାକୁଦରେ ୧୩.୬, ଭବାନୀପାଟଣାରେ ୧୨.୯, ଅନୁଗୁଳ ୧୪, ସମ୍ବଲପୁର ୧୪.୭, ବଲାଙ୍ଗିରରେ ୧୩.୫ ଡିଗ୍ରୀ ଥିବାବେଳେ ଚାନ୍ଦବାଲିରେ ପାରଦ ୧୪.୮ ଡିଗ୍ରୀ ରହିଛି । ଏହାବାଦ୍ କଟକରେ ପାରଦ ୧୫.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୧୫.୮ ଡିଗ୍ରୀ, ତାଳଚେରରେ ୧୪ ଡିଗ୍ରୀ ଏବଂ  କୋରାପୁଟରେ ୧୪.୬ ଡିଗ୍ରୀ ରହିଥିବା ନଜରକୁ ଆସିଛି ।

ସବୁ ଅଞ୍ଚଳରେ ପାରଦ ଖସିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାବେଳେ ଆଉ ୨ ଦିନ ରାଜ୍ୟରେ ପାରଦ ତଳମୁହାଁ ରହିବ । ପରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟରେ ରାତି ପାରଦକୁ ପୁଣି ଉପରକୁ ନେବା ସହ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ବର୍ଷା କାରଣରୁ ଖରିଫ୍ ଫସଲ ଅମଳରେ ବାଧା ଉପୁଜିପାରେ । ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ସୁଚନା ଦେଇଛି । ସେହିପରି ରବିଫସଲ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସତର୍କତା ପ୍ରକାଶପାଇଛି ।

Show More
Back to top button