ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ନୂଆ ଡିନ୍ ହେଲେ ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ, ଜାନୁଆରୀରୁ ସମ୍ଭାଳିବେ ଦାୟିତ୍ୱ l

ସତ୍ୟଶିଖା (ବୋଷ୍ଟନ) ୧୦.୧୦.୨୦୨୦ : ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଶିକ୍ଷାବିଦ୍ ଶ୍ରୀକାନ୍ତ ଦତାରଙ୍କୁ ହାର୍ଭାର୍ଡ ବିଜନେସ ସ୍କୁଲର ନୂଆ ଡିନ୍ ଭାବେ ନିଯୁକ୍ତ କରାଯାଇଛି । ଦୀର୍ଘ ସମୟ ହେବ ସେ ଏହି ବିଜନେସ ସ୍କୁଲ ସହ ଯୋଡ଼ି ହୋଇ ରହିଛନ୍ତି। କୋଭିଡ-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ଯେଉଁ ରେସପନ୍ସ ଟିମ୍ ପ୍ରସ୍ତୁତ କରାଯାଇ ଥିଲା ଦତାର ସ୍କୁଲର ସେହି ଟିମକୁ ଲିଡ୍ କରିଥିଲେ । ହାର୍ଭାର୍ଡ ସ୍କୁଲ ନାଁରେ ୧୧୨ ବର୍ଷର ଇତିହାସ ରହିଛି ଓ ଦତାର ଏହାର ୧୧ତମ ଡିନ୍ ଭାବେ ନିଯୁକ୍ତ ହୋଇଛନ୍ତି । ହାର୍ଭାର୍ଡ ତରଫରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି ।ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ପ୍ରଫେସର ଭାବେ କାମ କରିସାରିଛନ୍ତି । ଏହା ସହ ସେ ଆସୋସିଏସେଟ୍ ଡିନ୍ ଭାବେ ମଧ୍ୟ କାମ କରିଛନ୍ତି । ତେବେ ତାଙ୍କର କାର୍ଯ୍ୟକାଳ ୨୦୨୧ରୁ ଆରମ୍ଭ ହେବ । ଏହା ସହ ସେ ଭାରତୀୟ ଡିନ୍ ନୀତିନ ନେହାରିଆଙ୍କ ସ୍ଥାନ ନେବେ । ୧୦ ବର୍ଷ ପରେ ସେ ତାଙ୍କ କାର୍ଯ୍ୟକାଳକୁ ଛାଡ଼ିବେ । ଶ୍ରୀକାନ୍ତ ଇଣ୍ଡିଆାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ)ରୁ ସ୍ନାତକୋତ୍ତର କରିଛନ୍ତି । ୧୯୯୬ରେ ହାର୍ଭର୍ଡ ବିଜନେସ ସ୍କୁଲ ସହ ପ୍ରଫେସର ଭାବେ ଯୋଡି ହୋଇ ଥିଲେ । ତେବେ ସେ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ ଅଫ୍ ବିଜନେସ ଛାଡ଼ି ହାର୍ଭାର୍ଡ ଆସିଥିଲେ । ସେଠାରେ ମଧ୍ୟ ସେ ପ୍ରଫେସର ଥିଲେ । ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ସେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି ।