ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ l

ସତ୍ୟଶିଖା ୨୧.୦୯.୨୦୨୦ : ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେଗୁଡ଼ିକ ହେଲା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ଏହି ଜିଲ୍ଲାଗୁଡ଼ିକରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଭୂ-ସ୍ଖଳନ, ଅକସ୍ମାତ୍ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିଯିବା, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଭଳି ଦୁର୍ବିପାକର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଏବଂ ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହାସହ ଅଶାନ୍ତ ସମୁଦ୍ରକୁ ଯିବାକୁ କେନ୍ଦ୍ର ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରି ଅଧିକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଆଜି ବର୍ଷାର ପରିମାଣ ବଢ଼ିବ ଓ ପଶ୍ଚିମ ଓଡ଼ିଶାର ଉପରୋକ୍ତ ୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ । ଆଜି ସକାଳ ସୁଦ୍ଧା ରାଜ୍ୟର ଉତ୍ତର ଉପକୂଳ, ସମ୍ଭବତଃ ଭଦ୍ରକରୁ ବାଲେଶ୍ୱର ଭିତରେ ସ୍ଥଳଭାଗ ଛୁଇଁବ । ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ସୁନ୍ଦରଗଡ଼ ଦେଇ ଉତ୍ତର ଛତିଶଗଡ଼କୁ ମୁହାଁଇପାରେ ।

ଆକଳନ କରାଯାଉଛି ଯେ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବ । ଆଜି ନବରଙ୍ଗପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏବଂ ସମସ୍ତ ଉପକୂଳରେ ମଧ୍ୟମ ଧରଣର ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ମଙ୍ଗଳବାର ଦିନ ବର୍ଷା କମିଯିବ । ସ୍ଥାନେ ସ୍ଥାନେ ସ୍ବଳ୍ପରୁ ମଧ୍ୟମ ଧରଣର (୩୫ମିମି) ବର୍ଷା ହୋଇପାରେ । ତେବେ ଉପକୂଳରେ ୨୪ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ ।

Exit mobile version