୪ରେ ଲଘୁଚାପ, ୩ରୁ ରାଜ୍ୟରେ ପ୍ରବଳ ବର୍ଷା….

ଆଜି ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି l

ସତ୍ୟଶିଖା ୦୨.୦୮.୨୦୨୦ : ଦୀର୍ଘ ଦିନ ଧରି ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବା ପରେ ଏବେ ପୁଣି ସକ୍ରିୟ ହେବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ, ମୌସୁମୀ ଟ୍ରଫ୍କୁ ଉତ୍ତରରୁ ଦକ୍ଷିଣ ଦିଗକୁ ମୁହାଁଇବାରେ ସହାୟ ହେବ । ଫଳରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହେବ । ସାମ୍ଭାବ୍ୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୫ତାରିଖ ଯାଏଁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲା ଯେଉଁଠାରେ ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସେସବୁ ଅଞ୍ଚଳ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କଟକ, ଅନୁଗୁଳ, ଢେଙ୍କାନାଳ, ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪ ଏବଂ ୫ ତାରିଖ ବେଳକୁ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୪ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ପ୍ରବଳ ବର୍ଷା ପାଇଁ ମାଲକାନଗିରି, ରାୟଗଡ଼ା, ପୁରୀ, ଗଂଜାମ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ୫ ତାରିଖରେ ସମ୍ବଲପୁର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ଏବଂ କଟକ, ଖୋର୍ଦ୍ଧା , ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ମାଛ ଧରିବାକୁ ନ ଯିବାକୁ ବାରଣ କରାଯାଇଛି । ସେହିପରି ୫ରେ ଓଡ଼ିଶା ଉପକୂଳରେ ମାଛ ମାରିବାକୁ ବାରଣ କରାଯାଇଛି ।

Exit mobile version