ମୃତ୍ୟୁ ମୁହଁରୁ ବଞ୍ଚିଗଲା ଜୀବନ!

ସତ୍ୟଶିଖା( ପିପିଲି )୧୯ .୦୮. ୨୦୨୨: ମୃତ୍ୟୁ ମୁହଁରୁ ବଞ୍ଚିଗଲା ଜୀବନ! ଜଣେ କି ଦୁଇ ଦୁଇ ଜଣ ନୁହେଁ, ଏକାଥରେ ୧୫ ଜଣଙ୍କ ଜୀବନ ବଞ୍ଚିଗଲା। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି-ଜଟଣୀ ରାସ୍ତାରେ।

ପିପିଲି-ଜଟଣୀ ରାସ୍ତାରେ ଦୁଇ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି। ତେଣୁ ଲୋକମାନେ ବାରିମୂଳରୁ କଣ୍ଟିକୁ ଯାଉଥିବା ଟ୍ରାକ୍ଟରରେ ବସି ରାସ୍ତା ପାର ହେଉଥିଲେ। ଯେଉଁଥିରେ ୫ଟି ମୋଟରସାଇକଲ ଓ ୧୫ ଜଣ ଲୋକ ବସି ଥିଲେ। ତେବେ କିଛି ବାଟ ଗଲା ପରେ ଟ୍ରାକ୍ଟର ଡାଲାର ଗୋଟିଏ ଚକା ରାସ୍ତାରେ ହୋଇଥିବା ବଡ ଗର୍ତ୍ତରେ ଫସି ଯାଇଥିଲା। ଆଉ ବାହାରି ପାରିନଥିଲା। ଯାହାଫଳରେ ଟ୍ରାକ୍ଟରରେ ଥିବା ସବୁ ମୋଟର ସାଇକଲ ଓ ଲୋକମାନେ ବନ୍ୟା ସୁଅ ମୁହଁରେ ଗଲି ପଡ଼ିଥିଲେ। ଲୋକମାନେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସମସ୍ତଙ୍କ ଜୀବନ ବଞ୍ଚି ଯାଇଛି। ଆଖପାଖ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆଣିଥିଲେ।

ଅନ୍ୟପକ୍ଷରେ ଦୟା ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ପିପିଲି ବ୍ଲକ୍‌ କଣ୍ଟି ପଞ୍ଚାୟତର ବାରିମୂଳ ଓ କଣ୍ଟି ଗାଁ ୪ଦିନ ହେଲା ସମ୍ପୂର୍ଣ୍ଣ ପାଣିଘେରରେ ରହିଛି। ଏହା ସହିତ ସମସ୍ତ ଚାଷଜମିରେ ଏବେ ଛାତିଏ ଉଚ୍ଚର ପାଣି ପ୍ରବାହିତ ହେଉଛି।

Exit mobile version