ଇଚ୍ଛା ଅନୁସାରେ ପ୍ରାପ୍ତ ବୟସ୍କ ଧର୍ମ ଆପଣାଇ ପାରିବେ : ସୁପ୍ରିମକୋର୍ଟ


ସତ୍ୟଶିଖା(ନୂଆଦିଲ୍ଲୀ) ୦୯.୦୪.୨୦୨୧: କୌଣସି କାରଣ ପାଇଁ ଜଣେ ଧର୍ମ ପରିବର୍ତ୍ତନ କରୁଛି ବୋଲି କୁହାଯାଇପାରିବ ନାହିଁ। ପ୍ରାପ୍ତ ବୟସ୍କ ନିଜ ଇଚ୍ଛା ଅନୁସାରେ ଧର୍ମ ଆପଣାଇ ପାରିବେ ବୋଲି ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।
ଖବର ଅନୁସାରେ ବିଜେପି ନେତା ତଥା ସାମାଜିକ କର୍ମୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ସେ ଦର୍ଶାଇଥିଲେ ଗୁଣି ଗାରେଡି, ଆର୍ଥିକ ପ୍ରଲୋଭନ ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଧର୍ମ ପରିବର୍ତ୍ତନ କରୁଛନ୍ତି। ଧର୍ମାନ୍ତୀକରଣକୁ ରୋକିବାକୁ ଏକ କମିଟି ତିଆରି କରାଯିବା ସହିତ ଏଥିପାଇଁ ଆଇନ ହେବା ଦରକାର। ବଳ ପୂର୍ବକ ଧର୍ମାନ୍ତୀକରଣ ସମ୍ୱିଧାନର ଧାରା ୧୪, ୨୧, ୨୫କୁ ଉଲ୍ଲଂଘନ କରୁଛି। ଏହା ମଧ୍ୟ ସମ୍ୱିଧାନର ମୂଳ ଅନୁଚ୍ଛେଦ ଧର୍ମନିରପେକ୍ଷତାକୁ ଉଲ୍ଲଂଘନ କରୁଛି। କେନ୍ଦ୍ର ଓ ରାଜ୍ୟ ସରକାର ଧର୍ମ ପରିବର୍ତ୍ତନକୁ ରୋକିବାରେ ବିଫଳ ହୋଇଛନ୍ତି। ତେଣୁ ଧାରା ୫୧ଏ ଅନୁଯାୟୀ ଏହା ଉପରେ ରୋକ୍ ଲାଗିବା ଆବଶ୍ୟକ।
ବିଚାରପତି ଜଷ୍ଟିସ ରୋହିନତନ ଫାଲିମାନ ନରିମାନ ଏହି ଜନସ୍ୱାର୍ଥ ମାମଲାକୁ ଅନୁଧ୍ୟାନ କରିବା ପରେ କହିଛନ୍ତି ସମ୍ବିଧାନ ଅନୁସାରେ ଜଣକୁ ନିଜ ଧର୍ମର ପ୍ରଚାର ପାଇଁ ଅଧିକାର ଦିଆଯାଇଛି। ଦାଏର ହୋଇଥିବା ମକଦ୍ଦମା ଜନସ୍ୱାର୍ଥ ମାମଲା ନୁହେଁ ବରଂ ଏହା ହେଉଛି ଏକ ପ୍ରଚାର ସ୍ୱାର୍ଥ ମାମଲା। ଏହା ସମାଜ ପାଇଁ କ୍ଷତିକାରକ। ଯଦି ଏଭଳି ଆବେଦନକୁ ଆଗକୁ ନିଆଯିବ ତାହେଲେ ଆବେଦନକାରୀଙ୍କ ବିରୋଧରେ ଜୋରିମାନା ଲାଗୁ କରାଯାଇପାରେ। ଏହାପରେ ଆବେଦନକାରୀ କୋର୍ଟରୁ ମାମଲା ପ୍ରତ୍ୟାହାର କରିନେଇଛନ୍ତି।