

ସତ୍ୟଶିଖା (ଭୁବନେଶ୍ୱର)୦୮.୦୧.୨୦୨୨: ରାଜ୍ୟରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା ସଂକ୍ରମଣ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏହା ସହିତ ତାଳଦେଇ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଛୁଇଁଛି । ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଇଏଲଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ପୂର୍ବରୁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରହିଥିଲା ।
ଆଜି ଯେଉଁ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୮ ଜଣ ବିଦେଶ ଫେରନ୍ତା ବୋଲି ଜଣାପଡିଛି । ଏହାସହିତ ୪ ଜଣ ଲୋକାସ କେସ୍ ରହିଥିବା ବେଳେ ଆଉ ବାକି ୨ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ଅନୁଧ୍ୟାନ ଚାଲିଛି । ଏମାନେ ସମସ୍ତେ କରୋନା ପଜିଟିଭ ଆସିଥିଲେ । ପରେ ସେମାନଙ୍କର ଜିନମ ସ୍ୱିକ୍ୟୁନ୍ସିଂ କରାଯାଇଥିଲା । ଆଜି ସେମାନେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡିଛି ।
ସେହିପରି ରାଜ୍ୟରେ ଡିସେମ୍ବର ୨୧ ତାରିଖରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ରାଜ୍ୟରେ ଏବେ କାୟା ମେଲାଇଲାଣି ଓମିକ୍ରନ । ପ୍ରତିଦିନ ଜିଲ୍ଲାରେ ଓମିକ୍ରନ କାୟା ବିସ୍ତାର କରିସାରିଲାଣି । ସେପଟେ ରାଜ୍ୟରେ କରୋନା ମଧ୍ୟ ଦ୍ରୁତ ଗତିରେ ମାଡିବାରେ ଲାଗିଲାଣି । ଦୈନିକ ସଂକ୍ରମଣ ଏବେ ୪ ହଜାର ମୁହାଁ ହୋଇଛି ।