ସତ୍ୟଶିଖା (ନୂଆଦିଲ୍ଲୀ) ୧୦/୧୧/୨୦୨୦ : କରୋନା ଭ୍ୟାକସିନକୁ ନେଇ ଖୁସି ଖବର ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ସୁନା ଦର ହ୍ରାସ ପାଇଛି । ରାଇଟର୍ସର ଏକ ଖବର ଅନୁଯାୟୀ, ଅନ୍ତରାଷ୍ଟ୍ରୀୟ ସ୍ଥରରେ ସୁନା ଦର ୫ ପ୍ରତିଶତ ଅଧିକ ହ୍ରାସ ପାଇଛି । ୨୦୧୩ ମସିହା ପରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ ପାଇଛି ସୁନା ଦର । ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡିଛି । ଭାରତୀୟ ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇପାରେ । ବର୍ତ୍ତମାନ ସ୍ଥିତିରେ ସୁନା ଦର ୫-୮ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି । କାରଣ ଭାରତୀୟ ମୁଦ୍ରା ମଧ୍ୟ ଲଗାତାର ମଜବୁତ ହେଉଛି । ସୋମବାର ଦିନ ଦିଲ୍ଲୀରେ ସୁନା ଦର ବୃଦ୍ଧି ପାଇ ୫୨ ହଜାର ୧୮୩ ହୋଇଥିଲା । ଏହା ପୂର୍ବରୁ ଶୁକ୍ରବାର ଦିନ ସୁନା ଦର ୧୦ ଗ୍ରାମ ପିଛା ୫ ହଜାର ୧୦୬ ଟଙ୍କା ବୃଦ୍ଧି ପାଇଥିଲା ।
ଭ୍ୟାକସିନକୁ ନେଇ ଭଲ ଖବର ଆସିବା ପରେ ସୁନା ନିବେଶରେ ଚାହିଦା ହ୍ରାସ ପାଇଛି । ଫଳରେ ସୁନା ରୁପା ଦାମ ହ୍ରାସ ପାଇଛି । ବିଦେଶ ବଜାରରେ ଆମେରିକୀୟ ଗୋଲ୍ଡ ଫ୍ୟୁଚର ୪.୯ ପ୍ରତିଶତ ଖସିଛି । ସୋମବାର ଦିନ ସୁନା ଦାମ ଆଉନ୍ସ ପ୍ରତି ପାଖାପାଖି ୧୯୬୫.୩୩ ଡଲାର ଥିଲା । ସୋମବାର ଦିନ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲା । ଅନ୍ତରାଷ୍ଟ୍ରୀୟ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ଼ ଦର ୮ ପ୍ରତିଶତ ବୃଦ୍ଧି ପାଇ ବେରଲ ପ୍ରତି ୪୨.୬୧ ଡଲାର ଥିଲା । ସେହିଭଳି ଆମେରିକୀୟ ଅଶୋଧିତ ତୈଳ ୯ ପ୍ରତିଶତ ବୃଦ୍ଧି ପାଇ ବେରଲ ପ୍ରତି ୪୦.୪୯ ଡଲାରରେ ପହଞ୍ଚିଥିଲା ।