
ସତ୍ୟଶିଖା (ଭୁବନେଶ୍ୱର) ୧୫/୦୧/୨୦୨୧ : ଜିଏସ୍ଟି ଠକେଇ କରିଥିବା ଅସାଧୁ ବ୍ୟବସାୟୀମାନଙ୍କୁ ଧରିବା ଅଭିଯାନ ଭୁବନେଶ୍ୱର ସ୍ଥିତ ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ)ର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଛି । ନକଲି କମ୍ପାନି ଖୋଲି ବ୍ୟବସାୟ କରିବା ସହିତ ୬.୮୯ କୋଟି ଟଙ୍କାର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ନେଇଥିବା ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଶ୍ୟାମ ବିହାରୀ ଗୁପ୍ତା (୫୭) ଏବଂ ଅଭିଷେକ ଗୁପ୍ତା(୩୦) । ସଂପର୍କରେ ସେମାନେ ବାପପୁଅ । ବାପା ଶ୍ୟାମ ବିହାରୀ ବାଲେଶ୍ୱରରେ ବ୍ୟବସାୟ କରୁଥିବା ବେଳେ ପୁଅ ଅଭିଷେକ କଟକରେ ବ୍ୟବସାୟ କରନ୍ତି । ପ୍ରାୟ ୪୦ କୋଟି ଟଙ୍କାର ବ୍ୟାବସାୟିକ କାରବାର ଦର୍ଶାଇ ସେମାନେ ଏହି ଆଇଟିସି ଠକେଇ କରିଛନ୍ତି ।ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରାଯାଇଛି । ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ଏସଡିଜେଏମ୍ଙ୍କ ଅଦାଲତରେ ହାଜର କରାଯିବା ପରେ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି । ପରୋକ୍ଷ ଟିକସ ଠକେଇ କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କୁ ଧରିବା ଲାଗି ଭାରତ ସରକାରଙ୍କ ଦକ୍ଷ ସଂସ୍ଥା ଭାବେ ଡିଜିଜିଆଇ କାର୍ଯ୍ୟ କରିଆସୁଛି । ପ୍ରାୟ ୮୦ ପ୍ରତିଶତ ଠକେଇକୁ ଡିଜିଜିଆଇର ଅଧିକାରୀମାନେ ଧରିଥାନ୍ତି । ଡିଜିଜିଆଇର ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶିଷ ସାହୁଙ୍କ କହିବାନୁଯାୟୀ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଏସଟି ଚୋରି ଏବଂ ଠକେଇ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଛି ।
ଜିଏସଟି ଠକେଇ କରୁଥିବା ବ୍ୟକ୍ତିମାନଙ୍କୁ ଧରି ଏହି ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଗତ ଦୁଇ ମାସ ମଧ୍ୟରେ ଅର୍ଥାତ ୨୦୨୦ ନଭେମ୍ବର ୯ ତାରିଖରୁ ଆଜି ସୁଦ୍ଧା ୯୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଛି । ଏଗୁଡ଼ିକରେ ୧୫୯୦ କୋଟି ଟଙ୍କାର ନକଲି ଇନଭଏସ୍କୁ ଧରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି । ଏଥିସହିତ ଡିଜିଜିଆଇ ପକ୍ଷରୁ ଗୁରୁବାର ମଧ୍ୟ ପାଖାପାଖି ୪ କୋଟି ଟଙ୍କାର ଜିଏସ୍ଟି ଠକେଇ ଧରାଯାଇଛି । କେନ୍ଦ୍ରାପଡ଼ାର ଜଣେ ବ୍ୟବସାୟୀଙ୍କ ଠାରୁ ପାଖାପାଖି ଦେଢ଼ କୋଟି ଟଙ୍କା ଏବଂ ଭୁବନେଶ୍ୱରରୁ ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କଠାରୁ ପାଖାପାଖି ଅଢ଼େଇ କୋଟି ଟଙ୍କାର ଠକେଇ ଧରାପଡ଼ିଛି ।