ନ୍ୟୁଜ୍ବାଣିଜ୍ୟରାଜ୍ୟ

ପାର୍ଟିଓୟାରରେ ନୂଆ ଟ୍ରେଣ୍ଡ୍‌, ଗାଉନ୍

ସତ୍ୟଶିଖା (ଭୁବନେଶ୍ୱର) ୨୩/୦୧/୨୦୨୧ : ଆଜିକାଲି ପରିବାରରେ ଏବଂ ସମାଜରେ ଏକାଧିକ ପାର୍ଟି ଆୟୋଜନ କରାଯାଉଛି । ପାର୍ଟିକୁ ଯିବା ପାଇଁ ବଜାରରେ ପୂର୍ବରୁ ସ୍ଵତନ୍ତ୍ର ଧରଣର ପୋଷାକ ଓ ଶାଢ଼ି (ପାର୍ଟିଓୟାର) ଉପଲବ୍ଧ ହେଉଛି । ବିଶେଷକରି ମହିଳାଙ୍କ ପାଇଁ ‌ବିଭିନ୍ନ ପ୍ରକାରର କୁର୍ତ୍ତି, ଗାଉନ୍, ଟ୍ରାଉଜର୍‌ ସେଟ୍‌, ଜିନ୍ସ, ଡେନିମ୍‌, ଶାଢ଼ି, ଟପ୍ସ, ମିଡି ଆଦି ମିଳୁଛି । ନିର୍ବନ୍ଧ, ବାହାଘର, ସଂଗୀତ କାର୍ଯ୍ୟକ୍ରମ କିମ୍ବା ସଭା ସମିତିରେ ଏସବୁ ପୋଷାକ ଓ ଶାଢ଼ି ମହିଳାମାନେ ସ୍ଵତନ୍ତ୍ର ଭାବେ ପିନ୍ଧୁଛନ୍ତି । ବଜାରରେ ମଧ୍ୟ ଭଳିକି ଭଳି ଡିଜାଇନ୍‌, ଲୁକ୍‌, ଫେସନ୍‌ର ପୋଷାକ ଓ ଶାଢ଼ି ସ୍ଵତନ୍ତ୍ର ଭାବେ ମିଳିଯାଉଛି । ରାଜଧାନୀର ବଡ଼ ବଡ଼ ସୋରୁ’ମ୍‌ରେ ପାର୍ଟିଓୟାର କଲେକ୍ସନ ମଧ୍ୟ ଉପଲବ୍ଧ କରାଗଲାଣି ।ଗାଉନ୍‌ ଚାହିଦା ଅଧିକ
ବିଶେଷକରି ମହିଳାଙ୍କ ପାର୍ଟିଓୟାରକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । ସେଥିରୁ ଗୋଟିଏ ଏଥନିକ୍‌ କଲେକ୍ସନ ହୋଇଥିବାବେଳେ ଅନ୍ୟଟି ୱେଷ୍ଟର୍ଣ୍ଣ ବା ପାଶ୍ଚାତ୍ୟ କଲେକ୍ସନ । ଏଥ୍‌ନିକ୍‌ କଲେକ୍ସନରେ ଡ୍ରେସ ପିନ୍ଧିବାକୁ ଭଲ ପାଉଥିବା ମହିଳାଙ୍କ ପାଇଁ ପ୍ଲାଜୋ ସାରାରା, ଟ୍ରାଉଜର ସେଟ୍ସ, ଗାଉନ୍‌, ସ୍କର୍ଟ ଟପ୍‌, ଲଙ୍ଗ୍ କୁର୍ତ୍ତି, ସର୍ଟ କୁର୍ତ୍ତିର ଚାହିଦା ଅଧିକ ରହିଛି । ପଣ୍ଡା ଲାଇଫ୍‌ ‌ଷ୍ଟାଇଲ୍‌ର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ପୂର୍ବରୁ ବାହାଘର ଓ ନିର୍ବନ୍ଧ ପାଇଁ ଝିଅମାନେ ଲେହେଙ୍ଗା ନେଉଥିବାବେଳେ ଏବେ ଗାଉନ୍‌ ଅଧିକ ମାତ୍ରାରେ ନେଉଛନ୍ତି । ମୁଖ୍ୟତଃ ନିର୍ବନ୍ଧରେ ଝିଅମାନେ ଗାଉନ୍‌ ପିନ୍ଧୁଛନ୍ତି ବୋଲି ସେ କୁହନ୍ତି । ଗାଉନ୍‌ର ଦାମ୍‌ ୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ସେହିଭଳି ଟ୍ରାଉଜର ସେଟ୍‌ର ସର୍ବନିମ୍ନ ମୂଲ୍ୟ ୨୫୦୦ ଟଙ୍କା, ସ୍କଟ୍‌ ଟପ୍‌ର ସର୍ବନିମ୍ନ ମୂଲ୍ୟ ୩ ହଜାର ଟଙ୍କା ରହିଛି । ସେହିଭଳି ଲଙ୍ଗ୍‌ କୁର୍ତ୍ତିର ମୂଲ୍ୟ ୫ ହଜାର ଟଙ୍କାରୁ ଓ ସର୍ଟ କୁର୍ତ୍ତିର ମୂଲ୍ୟ ୧୫୦୦ ଟଙ୍କାରୁ ଆରମ୍ଭ ହୋଇଛି । ବିଭିନ୍ନ ସୋ’ରୁମ୍‌ରେ ଏହାର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଅବଶ୍ୟ ଭିନ୍ନ ଭିନ୍ନ ରହିଛି ।କାରୁକାର୍ଯ୍ୟ ଖଚିତ ଶାଢ଼ି
ପାର୍ଟିରେ ଶାଢ଼ି ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାମାନେ ଏବେ ସେଲିବ୍ରେସନ୍‌ ଲୁକ୍‌ ଦେଉଥିବା ଷ୍ଟାଇଲିସ୍, ଏକ୍ସକ୍ଲୁସିଭ କଲର କମ୍ବିନେସନ ଥିବା ଡିଜାଇନର୍‌ ଶାଢ଼ି ଅଧିକ ମାତ୍ରାରେ କିଣୁଛନ୍ତି । ଏସବୁ ଶାଢ଼ି ପାଖାପାଖି ‌ଅଢ଼େଇ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ମଧ୍ୟ ମିଳିଯାଉଛି । ବି‌ଶେଷକରି ଶାଢ଼ିର କାରୁକାର୍ଯ୍ୟ ଉପରେ ଦର ନିର୍ଭର କରିଥାଏ । ଭୁବନେଶ୍ୱରରେ ଏବେ ସାରାସ୍‌ ୱାର୍କ, ପାର୍ସି ୱାର୍କ, ଷ୍ଟୋନ୍‌ ୱାର୍କ ଏବଂ ଥ୍ରେଡ୍‌ ୱାର୍କ ହୋଇଥିବା ଶାଢ଼ିକୁ ମହିଳାମାନେ ପାର୍ଟିରେ ପିନ୍ଧିବାକୁ ଭଲ ପାଉଛନ୍ତି । ତେଣୁ ଏସବୁ ଡିଜାଇନ ଓ ଷ୍ଟାଇଲ୍‌ର ଶାଢ଼ି ସୋ’ରୁମ୍‌ ଗୁଡ଼ିକରେ ଉପଲବ୍ଧ କରାଯାଇଛି ।ୱେଷ୍ଟର୍ଣ୍ଣ ପୋଷାକ
କମ୍‌ ବୟସର ଝିଅ ବା କିଶୋରୀଙ୍କ ମଧ୍ୟରେ ମିଡି ବା ସର୍ଟ ଫ୍ରକ୍‌ର ଚାହିଦା ଅଧିକ । ଏଥସହିତ ଫେସନଯୁକ୍ତ ଟପ୍ସ ମଧ୍ୟ କିଶୋରୀମାନେ କିଣୁଛନ୍ତି । କିଛି କିଶୋରୀ ଓ ଝିଅ ମଧ୍ୟ ଜିନ୍ସ ପୋଷାକକୁ ପାର୍ଟିଓୟାର ଭାବେ ଚୟନ କରୁଛନ୍ତି । ଜିନ୍ସରେ କ୍ରପ୍‌ ଜିନ୍ସ, ୪ଟା ବଟମ୍‌ ଥିବା ଜିନ୍ସ, ଡେନିମ୍‌ରେ ବୁଟ୍‌ କଟ୍ ଆଦି ଡିଜାଇନର ଚାହିଦା ଅଧିକ ରହିଛି । ଫୋକସ୍‌, ଡିଲ୍‌ ଓ ଚ୍ୟାନେଲ୍‌ ଏଫ୍‌ ଭଳି ବ୍ରାଣ୍ଡ୍‌ ବଜାରରେ ଉପଲବ୍ଧ ହେଉଛି । ଏସବୁ ଜିନ୍ସ ପ୍ୟାଣ୍ଟ ୯୯୯ ଟଙ୍କାରୁ ଆରମ୍ଭ ହେଉଛି ।

Show More
Back to top button