

ସତ୍ୟଶିଖା( ଭୁବନେଶ୍ୱର )୧୦.୧୧.୨୦୨୨: ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ବାପଘରେ ଇଡି ପକ୍ଷରୁ ଚଢ଼ାଉ ଚାଲିଛି। ସୂଚନା ଅନୁଯାୟୀ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ ଜଣ ଅଧିକାରୀ ସିଆରପିଏଫ୍ ପୁଲିସ ସହ ସେଠାରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସର ସହାୟତା ନିଆଯାଇନାହିଁ। ଏହାଛଡ଼ା ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜଳେଶ୍ବର ଅଞ୍ଚଳରେ ଥିବା ପୈତୃକ ଘର ଓ ରାଜଧାନୀର ସତ୍ୟବିହାରସ୍ଥିତ ବାସଭବନ, ବନ୍ଧୁ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ଘରେ ଏକକାଳୀନ ଚଢ଼ାଇ ଚାଲିଛି। ଶ୍ରଦ୍ଧାଞ୍ଜଳିଙ୍କ କଟକର ବାଙ୍କୀ ପୈତୃକ ବାସଭବନ ଓ ଖଗେଶ୍ୱରଙ୍କ ଗଙ୍ଗେଶ୍ବର ଘରେ ବି ଇଡି ଚଢ଼ାଉ କରାଯାଉଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, କମିସନରେଟ ପୁଲିସ ପକ୍ଷରୁ ୨ଟି ଏତଲାର କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ କମିସନରେଟ ପୁଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିଥିଲା।
ବେଆଇନ୍ ଆର୍ଥିକ କାରବାର ନେଇ ଇଡି ତଦନ୍ତ କରୁଛି। ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମିସନରେଟ ପୁଲିସକୁ ଅର୍ଚ୍ଚନାର ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଏତଲାର କପି ମାଗିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ନେଇ ଖୋଳତାଡ କରିବ ବୋଲି ଆଶା କରାଯାଉଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା।