କରୋନାରୁ ମୁକ୍ତ ହେଲେ ରୁଷ ପ୍ରଧାନମନ୍ତ୍ରୀ, ତଥାପି ଦେଶର ସ୍ଥିତି ଜଟିଳ


ମସ୍କୋ: ମହାମାରୀ କରୋନା ଭାଇରସ ସ୍ଥିତି ଏବେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷରେ ଘାତକ ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଆମେରିକା ପରେ ରୁଷରେ ଦ୍ୱିତୀୟ ସାର୍ବଧିକ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୯,୯୪୭ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୨୮୩୭ରେ ପହଞ୍ଚି ଯାଇଛି।
ପ୍ରତିଦିନ ଏଠାରେ ୧୫ରୁ ୨୦ ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏଠାରେ ମୃତ୍ୟୁହାର କମ ରହିଛି। ତେବେ ମେ’ ୧ରେ କରୋନା ଭାଇରାସରେ ଆକ୍ରାନ୍ତ ହୋଇଥିବା ଦେଶର ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ଆଜି ସୁସ୍ଥ ହୋଇ କାମକୁ ଫେରିଛନ୍ତି।
ଆଗକୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସେ ସମସ୍ତଙ୍କୁ ଆଶ୍ୱସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମିଶୁଷ୍ଟିନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେଲଫ ଆଇସୋଲେସନରେ ରହିଥିଲେ।
ଆହୁରି ପଢ଼ନ୍ତୁ
ରୁଷରେ କରୋନା କାୟା ବିସ୍ତାର କରୁଥିବାରୁ ରାଷ୍ଟ୍ରପତି ପୁଟିନ ମଧ୍ୟ ଆଉ ଅଧିକ ବୈଠକ କରୁନାହାନ୍ତି। ଦରକାର ସମୟରେ ସେ ଅଧିକାରୀମାନଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା ହେଉଛନ୍ତି। ପ୍ରଧାନମନ୍ତ୍ରୀ ମିଶୁଷ୍ଟିନ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କ ଡେପୁଟି ଆଣ୍ଡ୍ରେ ବେଲୋସୁଭ ସମସ୍ତ ଦାୟିତ୍ୱ ଗ୍ରହଣ କରିଥିଲେ।
୫୪ ବର୍ଷୀୟ ମିଶୁଷ୍ଟିନ ଦେଶର ଟ୍ୟାକ୍ସ ଅଫିସର ଥିଲେ। ହେଲେ ରାଷ୍ଟ୍ରପତି ପୁଟିନଙ୍କ ପରାମର୍ଶକ୍ରମେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ଅନ୍ୟପକ୍ଷରେ ବିଶ୍ୱକଥା ବିଚାରକୁ ନେଲେ, ଏଯାଏ କରୋନାରେ ୩,୨୦,୯୬୪ ଜଣ ପ୍ରାଣ ହରାଇଥିବା ବେଳେ ୪୯,୨୮,୦୨୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୧୫,୫୪,୨୭୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୨,୧୮୮ ଜଣ ପ୍ରାଣ ହରାଇଛନ୍ତି।