

ସତ୍ୟଶିଖା (ଭୁବନେଶ୍ୱର) ୧୫/୦୧/୨୦୨୧ : କିଡ୍ନି କିଙ୍ଗ୍ପିନ୍ ହିମାଂଶୁ ନନ୍ଦ ନାମରେ ଅଭିଯୋଗର ଫର୍ଦ୍ଦ ଲମ୍ବା ହେବାରେ ଲାଗିଛି । ନୂଆପଲ୍ଲୀ ଓ ଲକ୍ଷ୍ମୀସାଗର ଥାନା ପରେ ଏଥର ମଞ୍ଚେଶ୍ୱର ଥାନାରେ ଅନୁରୂପ ଅଭିଯୋଗ ହୋଇଛି । କିଡ୍ନି ଦେବାକୁ କହି ହିମାଂଶୁ ଜଣେ ଲୋକଠାରୁ ୧୮ଲକ୍ଷ ୫୩ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ରଙ୍ଗମାଟିଆର ଅଶୋକ ନାୟକ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇ ଧୂର୍ତ୍ତ ହିମାଂଶୁ ବିରୋଧରେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, କିଡ୍ନି ଦେବାକୁ କହି ହିମାଂଶୁ ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ ନାୟକଙ୍କଠାରୁ ୧୮ ଲକ୍ଷ ୫୩ ହଜାର ଟଙ୍କା ନେଇଥିଲା । ପ୍ରଥମେ କିଡ୍ନି ପ୍ରତିରୋପଣ ପାଇଁ ଆବଶ୍ୟକ ପଡ଼ୁଥିବା କୋର୍ଟର ଆଦେଶପତ୍ର ପ୍ରଦାନ କରିଥିଲା । ମାତ୍ର ସେସବୁ ନକଲି ଥିଲା । ଏମିତିରେ ବିଶ୍ୱାସ ଜନ୍ମାଇବା ପରେ ସେ ଅଶୋକଙ୍କଠାରୁ ପର୍ଯ୍ୟାୟକ୍ରମେ ୧୮ ଲକ୍ଷ ୫୩ ହଜାର ଟଙ୍କା ନେଇ ଯାଇଥିଲା ଓ ଆଉ ଧରାଛୁଆଁ ଦେଇନଥିଲା । ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କିଡ୍ନି ପ୍ରତିରୋପଣ ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ରହିଛି । ଡିଏମ୍ଇଟିଙ୍କ ବିନା ଅନୁମତିରେ କିଡ୍ନି ପ୍ରତିରୋପଣ ହୁଏନି । କାହା କିଡ୍ନି କାହା ଦେହରେ ଲାଗିବ ଡୋନର୍ ଜାଣନ୍ତିନି । ଏଣୁ ଏଭଳି କହି ଯେ କିଡ୍ନି ଦେବାକୁ କହୁଛି ସେ ଠକ। ଠକଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।