ସତ୍ୟଶିଖା( ଭୁବନେଶ୍ୱର )୨୮.୧୦.୨୦୨୨: କୁଆମରା/ଜୟପୁର: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଓ ସଚେତନତାର ଅଭାବରୁ ଆଦିବାସୀ ବହୁଳ ଗୋପବନ୍ଧୁନଗର ବ୍ଲକ୍ର ଗରିବ ଅସହାୟ ଲୋକେ ଅବେଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହି ବ୍ଲକ୍ ଅନ୍ତର୍ଗତ ଜୟପୁର ପଞ୍ଚାୟତ ଦିଘି ନୂଆସାହି ଗ୍ରାମ ଏବେ ସତେ ଯେମିତି ଅଭିଶପ୍ତ ପାଲଟିଛି। ଗ୍ରାମରେ ୫ ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ସମସ୍ତେ ଆଦିବାସୀ ସଂପ୍ରଦାୟର ଓ ଶ୍ରମିକ ଶ୍ରେଣୀର। ୨୦୧୮-୧୯ରେ ଏହି ଗ୍ରାମରେ ଅନେକ ଲୋକ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିଲେ। ୨ ବର୍ଷ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୧-୨୨ରେ ଏଠାରେ ପୁଣି କିଡ୍ନି ରୋଗ ମାଡ଼ି ଚାଲିଛି। ଗ୍ରାମର ୨୦ରୁ ଅଧିକ ଲୋକ ଏବେ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅର୍ଥ ଅଭାବରୁ କିଏ ଚେରମୂଳି ବ୍ୟବହାର କରୁଛି ତ ଆଉ କିଏ ଗୁଣିଗାରେଡ଼ିକୁ ଭରସା କରି ବଞ୍ଚିବାକୁ ରାହା ଖୋଜୁଛି। ଆଉ କେତେକ ଧାରକରଜ କରି ସ୍ଥାନୀୟ ଔଷଧ ଦୋକାନମାନଙ୍କରୁ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଉଥିବାର କହିଛନ୍ତି। ଖାଲି କିଡ୍ନି ରୋଗ ନୁହେଁ, ଯକ୍ଷ୍ମା ରୋଗରେ ବି କିଛି ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏ ସାମାନ୍ୟତମ ସାହାଯ୍ୟ ପହଞ୍ଚିନି। ମାସେ ତଳେ ଏହି ଗ୍ରାମର ଶାନ୍ତିଲତା ସିଂ (୬୦) ଓ ଗାଂଗୀ ସିଂ(୪୮)ଙ୍କର କିଡ୍ନି ରୋଗରେ ମୃତ୍ୟୁ ଘଟିଥିବା ବେଳେ ସୁଦନ ସିଂ, ଦୁଖିଆ ବିନ୍ଧାଣୀ, ସୁଦର୍ଶନ ସିଂ ଓ ଗୋଲକ ସିଂ’ଙ୍କର ସମାନ କାରଣରୁ ମୃତ୍ୟୁ ଘଟିଥିବା କୁହାଯାଉଛି।
ସେହିପରି ଗ୍ରାମର ଗୋପାଳ ସିଂ (୩୦), ପଣ୍ଡାରାମ ସିଂ (୫୫), ପୂର୍ଣ୍ଣଚନ୍ଦ୍ର ସିଂ (୪୫), ମୁଗୁନି ସିଂ (୪୫), ବିଜୁ ସିଂ (୬୩), ରବୀନ୍ଦ୍ର ସିଂ (୬୫), ସୌଦାମିନୀ ସିଂ (୩୨), ସନ୍ୟାସୀ ସିଂ (୫୩) ଏବେ କିଡ୍ନି ରୋଗରେ ଆକ୍ରାନ୍ତ ଅଛନ୍ତି। ଏଥିମଧ୍ୟରୁ କିଛି ଶଯ୍ୟାଶାୟୀ ଥିବା ବେଳେ କେତେକଙ୍କ ପରିସ୍ଥିତି ସଙ୍କଟାପନ୍ନ ରହିଛି। ଗ୍ରାମର ବ୍ୟବସାୟୀ ସଞ୍ଜୟ ବେହେରା (୫୫)ଙ୍କ କହିବା ଅନୁଯାୟୀ, ସେ ମଧ୍ୟ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଆରମ୍ଭରୁ ରୋଗ ଚିହ୍ନଟ ହୋଇଯିବାରୁ ତୁରନ୍ତ କଟକ ଯାଇ ଚିକିତ୍ସିତ ହୋଇ ଏବେ ସୁସ୍ଥ ଅଛନ୍ତି। ଅନ୍ୟମାନେ ମଧ୍ୟ ଆରମ୍ଭରୁ ଚିକିତ୍ସା କଲେ ସୁସ୍ଥ ହୋଇ ପାରନ୍ତେ ବୋଲି ସେ କହିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏ ବାବଦରେ ଲୋକଙ୍କୁ ସଚେତନ କରାଯାଉନି କି ଚିକିତ୍ସା ବ୍ୟବସ୍ଥା ମଧ୍ୟ ହେଉନି।
ଅନ୍ୟପକ୍ଷରେ ଗ୍ରାମରେ କଣ ପାଇଁ କିଡ୍ନି ରୋଗ ବ୍ୟାପୁଛି, ତାର କାରଣ ମଧ୍ୟ ଖୋଜୁନି ପ୍ରଶାସନ। ତେବେ ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁ ଏହି ରୋଗ ହେଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିହ୍ନଟ କରି ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ୍ ଅନୁଭବ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତାଙ୍କ ପାଖରେ ଖବର ନାହିଁ। ୩ ବର୍ଷ ତଳେ ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବ୍ଲକ୍ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ୍ କରାଯାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ୨୩ ପୃଷ୍ଠାର ରିପୋର୍ଟ ପଠାଯାଇଥିଲା। ହେଲେ ଏଯାଏ ଉକ୍ତ ରିପୋର୍ଟ ସମ୍ପର୍କରେ ଉପରୁ କିଛି ଜବାବ ଆସିନାହିଁ।