ସତ୍ୟଶିଖା( ଭୁବନେଶ୍ୱର )୧୧.୧୧.୨୦୨୨: ବନ୍ଧା ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ର। ଗତକାଲି ଦିନ ସାରା ଖଗେଶ୍ୱରଙ୍କ ଘର ସମେତ ଶୋ’ ରୁମ୍ରେ ପଶି ତନାଘନା ଚଳାଇଥିବା ଇଡି ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଥିଲା । ଏହାପରେ ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିବା ଖଗେଶ୍ୱର ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିବା ପରେ ନିଜ ବ୍ୟବସାୟର କାୟା ମେଲାଇଥିଲେ। ଏପରିକିକ ନିଜ ବ୍ୟବସାୟକୁ ସେ ହଂସପାଳ ଉଠାଇ ନେଇ ସେଠାରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍ ଶୋ’ ରୁମ୍ କରିଥିଲେ।
ଇଡିର ପ୍ରାଥମିକ ଅନୁସନ୍ଧାନରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ଖଗେଶ୍ୱରଙ୍କ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ମିଳିଛି । ୨୦୧୭ରୁ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ପ୍ରମାଣ ଇଡି ହାତରେ ଲାଗିଛି । ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
କାଲି ଖଗେଶ୍ୱରଙ୍କ ଘର ଓ ଶୋ’ ରୁମ୍ରେ ଚଢ଼ାଉ କରିଥିଲା ଇଡି । ଖଗେଶ୍ୱର ପାତ୍ରଙ୍କ ଭୁବନେଶ୍ୱର ରସୁଲଗଡ଼ରେ ଥିବା ସୁପ୍ରିମ ଅଟୋମୋବାଇଲ ଉପରେ ରେଡ୍ କରିଥିଲା ଇଡି । ସେହି ଜାଗାରେ ୨୦୧୦ରୁ ୨୦୧୯ ଯାଏ ଖଗେଶ୍ୱର ପାତ୍ର ଶୋ’ ରୁମ୍ କରି ପୁରୁଣା ଗାଡ଼ି କାରବାର କରୁଥିଲା । ଏଠାରେ ବେପାର କରୁଥିବା ସମୟରେ ଖଗେଶ୍ୱର ୧୨ରୁ ୧୫ ହଜାର ଟଙ୍କା ଭଡ଼ା ଦେଉଥିଲା ।ଜାଗାର ମାଲିକ ଓ ତାଙ୍କ ମ୍ୟାନେଜରଙ୍କୁ ମଧ୍ୟ ଇଡି ପଚରାଉଚରା କରିଛି ।