ପର୍ଯ୍ୟଟନ

ଖାରବେଳଙ୍କର ସ୍ମୃତିକୁ ମନେ ପକାଏ ଖଣ୍ଡଗିରି, ଉଦୟଗିରି ଗୁମ୍ଫା

ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : NEWS HIGHLIGHTS
  • ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି, ଉଦୟଗିରି ଗୁମ୍ଫା
  • ବର୍ଷ ତମାମ ଛୁଟେ ପର୍ଯ୍ୟଟକଙ୍କ ଭିଡ
  • ଜୈନ ସମ୍ପ୍ରଦାୟର ସାଧୁମାନଙ୍କୁ ଏବେ ବି ଏଠାରେ ଦେଖିବାକୁ ମିଳେ
  • ଜୈନ ସମ୍ରାଟ ଖାରବେଳଙ୍କର ସ୍ମୃତିକୁ ମନେ ପକାଇଦିଏ
  • ପ୍ରମୁଖ ଆକର୍ଷଣ ହେଉଛି ମାଘ ମାସରେ ହେଉଥିବା ଖଣ୍ଡଗିରି ମେଳା

ଅର୍ଗସ ବ୍ୟୁରୋ: କଳା,ସଂସ୍କୃତି,କୀର୍ତ୍ତିରାଜି,ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏଇ ଆମ ଓଡିଶା । ଯେଉଁଥିପାଇଁ ପୁରା ବିଶ୍ୱରେ ରହିଛି ଏହାର ନିଆରା ପରିଚୟ । ଓଡିଶାରେ ଅନେକ ଐତିହ ଓ ପର୍ଯ୍ୟଟନସ୍ଥଳୀ ରହିଛି । ରାଜଧାନୀ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର ରହିଛି ଅନନ୍ୟ ସ୍ୱତନ୍ତ୍ରତା ।

ଦୁଇ ପାହାଡ଼ ଉଭୟ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ରହି ରାଜଧାନୀ ରାସ୍ତାର ଶୋଭାମଣ୍ଡିତ କରିଥାନ୍ତି । ଯେଉଁଠିକୁ ବର୍ଷ ତମାମ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ । ଖାସ୍ କରି ଯୁବପୀଢୀ ଏହି ସ୍ଥାନରେ ବୁଲି ମନଭରି ଏହାକୁ ଉପଭୋଗ କରିଥାନ୍ତି । ଏହି ସ୍ଥାନ ଐତିହାସିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ।
ଗୁମ୍ଫା ଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି । ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା । ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି ।

ଖଣ୍ଡଗିରି ଏବଂ ଉଦୟଗିରିର ଗୁମ୍ଫାଗୁଡିକ କଳିଙ୍ଗ ସାମ୍ରାଜ୍ୟରେ ଥିବା ଜୈନ ସମ୍ରାଟ ଖାରବେଳଙ୍କର ସ୍ମୃତି ସବୁକୁ ମନେ ପକାଇଦିଏ । ବିଶ୍ଵାସ କରାଯାଏ ଖ୍ରୀ. ପୂ. ଷଷ୍ଠ ଶତାଦ୍ଦୀରେ ଜୈନ ଧର୍ମର ପ୍ରତିଷ୍ଠାତା ମହାବୀର ଏହି ଖଣ୍ଡଗିରି ଏବଂ ଉଦୟଗିରିକୁ ପରିଦର୍ଶନରେ ଆସିଥିଲେ । ଜୈନ ସନ୍ୟାସୀ ମାନଙ୍କର ବ୍ୟବହାର ପାଇଁ ଏବଂ ସାଂସ୍କୃତିକ ଦୃଶ୍ୟରାଜି ପାଇଁ ଏହି ଗୁମ୍ଫା ଗୁଡିକୁ ନିର୍ମାଣ କରାଇଥିଲେ ।

ଜୈନ ବିବରଣୀରୁ ଜଣାଯାଏ ଏହି ସ୍ଥାନରେ ମହାବୀର ଜୈନ ତାଙ୍କର ଧର୍ମପ୍ରଚାର କରିଥିଲେ । ସମ୍ରାଟ ଖାରବେଳଙ୍କ ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ଏହି ସ୍ଥାନରେ ରହିଛି । ଏଠାରେ ଏବେ ମଧ୍ୟ ଜୈନ ସମ୍ପ୍ରଦାୟର ସାଧୁମାନଙ୍କୁ ଦେଖିବାକୁ ମିଳେ ।
ଏହାର ପ୍ରମୁଖ ଆକର୍ଷଣ ହେଉଛି ମାଘ ମାସରେ ହେଉଥିବା ପ୍ରମୁଖ ଖଣ୍ଡଗିରି ମେଳା । ସାଧୁସନ୍ଥମାନେ ଖଣ୍ଡଗିରିକୁ ଆସି ନିଜ ପରାକାଷ୍ଠା ଦେଖାଇଥାନ୍ତି । ଏଠାରେ ସାଧୁ ସନ୍ଥମାନେ ବିଶ୍ୱର କଲ୍ୟାଣ ପାଇଁ ଜପ ତପ ଯଞ୍ଜ କରିଥାନ୍ତି । ବାବାଙ୍କର ଟିକିଏ ଦର୍ଶନ ପାଇଁ ପ୍ରବଳ ଭିଡ ଜମେ ।

Show More
Back to top button