ଧରା ପଡିଲେ ‘କଟୁରୀ ଗ୍ୟାଙ୍ଗ’, ମର୍ଣ୍ଣିଂୱାକ୍‌ ବେଳେ କରୁଥିଲେ ଟାର୍ଗେଟ୍‌

ସତ୍ୟଶିଖା(ଭୁବନେଶ୍ୱର) ୦୫.୦୫.୨୦୨୧: ଭୁବନେଶ୍ୱର ଓ କଟକରେ ଆତଙ୍କ ଖେଳାଇଥିବା କଟୁରୀ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଗିରଫ ଅପରାଧୀମାନେ ହେଲେ ଗଣେଶ କୋଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ। ୪ ମାସ ହେଲା ଏମାନେ ଦ୍ୱୈତନଗରୀରେ ଛିନତାଇ ଓ ରାହାଜାନି କରୁଥିଲେ। ବିଶେଷ କରି ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଓ ଏକୁଟିଆ ଯା’ଆସ କରୁଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ପଲସରରେ ଆସି ଲୋକଙ୍କୁ କଟୁରୀରେ ଆକ୍ରମଣ କରି ସେମାନଙ୍କ ପାଖରୁ ଅଳଙ୍କାର ଓ ଟଙ୍କା ଛଡ଼ାଇ ନେଉଥିଲେ। ଏମିତି ଘଟଣା ବାରମ୍ବାର ଘଟିବା ପରେ କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ୍‌, ଖଣ୍ଡଗିରି ପୁଲିସ୍ ଓ ସହିଦନଗର ପୁଲିସ୍ ମିଳିତ ଭାବେ ଏହି ୫ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି।

ଗିରଫ ଅପରାଧୀମାନଙ୍କ ଠାରୁ ୧୯ଟି ସୁନା ଚେନ୍, ୬.୨ କିଲୋଗ୍ରାମ ଓଜନର ରୁପା ଅଳଙ୍କାର, ୧୩,୬୦୦ ଟଙ୍କା, ଗୋଟିଏ ପଲସର ବାଇକ୍‌, ହୋଣ୍ଡା ଆକ୍ଟିଭା ଓ କଟୁରୀ ଜବତ କରାଯାଇଛି।

ଗିରଫ ୫ ଅପରାଧୀ ଦ୍ୱୈତନଗରୀର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ୨୫ଟି ମାମଲାରେ ସଂଶ୍ଳିଷ୍ଟ ଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Exit mobile version