ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ପୁଣିଥରେ ଜଣଙ୍କ ମୁଣ୍ଡ ନେଇଛି। ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ଭାରତରେ କରୋନାରେ ଦ୍ୱିତୀୟ ମୁଣ୍ଡ ଗଡ଼ିଥିବା ବେଳେ ଦିଲ୍ଲୀରେ ଏହା ପ୍ରଥମ ଘଟଣା। ପ୍ରାଣ ହରାଇଥିବା ମହିଳାଙ୍କ ଉକ୍ତ ରକ୍ତଚାପ ଓ ଡାଇବେଟିସ୍‌ ଥିଲା।

ବୃଦ୍ଧାଙ୍କ ୪୬ ବର୍ଷୀୟ ପୁଅ ନିକଟରେ ଜାପାନ, ଇଟାଲୀ ଓ ଜେନେଭା ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭାଇରସ ଥିବା ଜଣାପଡ଼ିଥିଲା। ବୃଦ୍ଧା ଜଣଙ୍କ ତାଙ୍କ ଯୋଗାଯୋଗରେ ଆସି କରୋନାରେ ଆକ୍ରାନ୍ତ ହୋଇଥିଲେ।

ଏହାପରେ ଉଭୟଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବେ ବି ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରେ ମୋଟ ୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେ ନିକଟରେ ସାଉଦି ଆରବରୁ ଫେରିଥିଲେ। ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା କରାଯାଉଥିଲେ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତରେ ଏଯାଏ ୮୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ୨ ଜଣଙ୍କ ମୃତ୍ୟୁ ପରେ ଦେଶବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

 

Exit mobile version