
ସତ୍ୟଶିଖା (ଭୁବନେଶ୍ୱର) ୧୬ /୧୦/୨୦୨୦ : ଅବନିନ୍ଦ୍ର କୁମାର ବେହେରା, ମମତା ବେହେରାଙ୍କ ଝିଅ ଐଶ୍ୱର୍ଯ୍ୟା (ମୁନ୍ମୁନ୍)ଙ୍କ ଛୋଟ ବେଳୁ ଅଭିନେତ୍ରୀ ହେବାର ସ୍ବପ୍ନ ଥିଲା । ପିଲା ବେଳୁ ବିଭିନ୍ନ ମଞ୍ଚରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସେ ବହୁବାର ପୁରସ୍କୃତ ହୋଇଛନ୍ତି । ୫ ବର୍ଷ ବୟସରେ ୧୮ଶହ ସୋଲୋ ପେଣ୍ଟିଂର ପ୍ରଦର୍ଶନୀ କରି ଚର୍ଚ୍ଚାକୁ ଆସିଥିଲେ । କଲେଜ ପଢା ବେଳେ ଏକ ରୁଷୀୟ ଚଳଚ୍ଚିତ୍ରରେ ତାଙ୍କୁ ବ୍ରେକ୍ ମିଳିଥିଲା ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଚରିତ୍ରରେ । ଅଡିସନ୍ ପରେ ରୁଷୀୟ ଚଳଚ୍ଚିତ୍ର ‘ଏଲିକ୍ସିରୋ ଅଫ୍ ଇର୍ମୋଟାଲିଟି’ ପାଇଁ ସିଲେକ୍ଟ ହୋଇଥିଲେ । ଏଥିସହିତ ସେ ‘ଇଣ୍ଡିଆନ୍ ଆଇଡଲ୍’, ‘ରାଇଜିଂ ଷ୍ଟାର୍’, ‘ମାଷ୍ଟର ସେଫ୍’ ଆଦି ରିୟଲିଟି ସୋ’ର ଅଡିସନ୍ ମ୍ୟାନେଜମେଣ୍ଟ୍ କରିଛନ୍ତି ।୨୦୧୫ରେ ‘କେବିସି କମେଡି’ ଓଡ଼ିଆ ଧାରାବାହିକ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ‘ସାଧବ ବୋହୂ’, ‘ମୋ ଜେଜେମା’, ‘ଭାଇ ସବୁ ରାଜନୀତି’, ଏସିପି ନିକିତା’ ଏବଂ ‘ମିଷ୍ଟର ନନ୍ସେନ୍ସ’ରେ ତାଙ୍କର ଇନ୍ସପେକ୍ଟର ଗୁଗ୍ଲି ଚରିତ୍ରକୁ ଦର୍ଶକ ଆଜିଯାଏ ଭୁଲି ପାରିନାହାନ୍ତି । ସେହିପରି ଓଲିଉଡରେ ‘ତୋ ପ୍ରେମରେ ପଡ଼ିଲା ପରେ’, ‘ଯୋଗୀ’, ‘ସୁନ୍ଦରଗଡ଼ର ସଲ୍ମାନ୍ ଖାନ୍’, ‘ଇସ୍କ୍ ପୁଣି ଥରେ’, ‘ଚାଲ ଟିକେ ଦୁଷ୍ଟ ହେବା’, ‘ପ୍ରେମରେ ରଖିଛି ଶହେରୁ ଶହେ’ ଆଦି ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ବାହାବା ସାଉଣ୍ଟିଛନ୍ତି ।