ରାଜ୍ୟସ୍ୱାସ୍ଥ୍ୟ

କରୋନା: ଅସହାୟ ଶିଶୁଙ୍କ ଯତ୍ନ ପାଇଁ ସରକାର ଜାରି କଲେ ହେଲପଲାଇନ୍ ନମ୍ବର

ସତ୍ୟଶିଖା(ଭୁବନେଶ୍ୱର) ୨୧ .୦୫.୨୦୨୧: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରରେ ଅନେକ ପରିବାରରେ ପିତାମାତା କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ଅବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୁ ସେମାନଙ୍କ ପିଲାମାନେ ଅନାଥ ଓ ଅସହାୟ ହୋଇପଡ଼ୁଛନ୍ତି। କୋଭିଡ୍ ସଂକ୍ରମିତ ପରିବାରର ଏହି ଶିଶୁମାନଙ୍କୁ ରଖିବା ପାଇଁ କେହି ଆତ୍ମୀୟସ୍ୱଜନ କି ନିକଟ ସମ୍ପର୍କୀୟମାନେ ଆଗେଇ ଆସୁନାହାନ୍ତି। ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ଘଣ୍ଟିଆ ହେଲପଲାଇନ୍ ନମ୍ବର ୧୦୯୮ ଓ ୧୮୦୦-୩୪୫-୪୪୯୪  ସହ ରାଜ୍ୟ ହେଲପଲାଇନ୍ ନମ୍ବର-୧୦୪ ଜାରି କରାଯାଇଛି।

୧୮ବର୍ଷ ବୟସରୁ କମ୍ ବୟସର ପିଲା ଯଦି କୌଣସି ସ୍ଥାନରେ ଅସହାୟ ଓ ବିପଦଶଙ୍କୁଳ ଅବସ୍ଥାରେ ରହିଛି କିମ୍ବା ପିତାମାତା ନଥିବା ଶିଶୁ ଅବା କରୋନା ସଂକ୍ରମିତ ହୋଇ ସଙ୍ଗରୋଧରେ ଥିବା ପିତାମାତାଙ୍କ ଶିଶୁ, କାହାରି ନଜରକୁ ଆସିଲେ ତୁରନ୍ତ ଉପରୋକ୍ତ ହେଲପଲାଇନ୍ ନମ୍ବରକୁ ଜଣାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଆବଶ୍ୟକ ପଡ଼ିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ରୁ ଶିଶୁମାନଙ୍କ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ସରପଂଚମାନଙ୍କୁ ନେଇ ଏକ ହ୍ୱାଟସଅପ୍ ଗ୍ରୁପ୍ ଗଠନ କରାଯାଇଛି। ଏଭଳି ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ନାଗରିକ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମଧ୍ୟ ସହାୟତା ନିଆଯାଉଛି। ଅସୁବିଧାରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ସାମୟିକ ଭାବେ ସୁରକ୍ଷିତ ରଖିବା ନିମନ୍ତେ ୩୦ଟି ଜିଲ୍ଲାରେ ୩୦ଟି ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି ଓ ଭର୍ଚୁଆଲ ବୈଠକ ମାଧ୍ୟମରେ ନିୟମିତ ସମୀକ୍ଷା କରାଯାଉଛି।

Show More
Back to top button