‘କାଳିଆ’ ବକେୟା : ୫୩ ଲକ୍ଷ ଚାଷୀଙ୍କ ଖାତାକୁ ଆଜି ଯିବ ୧୨ଶହ କୋଟି

ସତ୍ୟଶିଖା (ଭୁବନେଶ୍ୱର) ୧୨/୦୨/୧୦୨୧ : ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର କିସ୍ତି ଚାଷୀଙ୍କୁ ମିଳିବାକୁ ଯାଉଛି । ୨୦୧୯ ଜୁନ୍ ପରଠାରୁ ‘କାଳିଆ’ ସହାୟତା ମିଳି ନ ଥିବାରୁ ଏହାକୁ ନେଇ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେଉଥିବା ରାଜ୍ୟ ସରକାର ଆଜି ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ବାଣ୍ଟିବେ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ଦିଆଯିବ । ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଜିଲାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କିଛି ନୂତନ ଯୋଜନା ଓ ପ୍ରକଳ୍ପମାନ ଉଦଘାଟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ ‘କାଳିଆ’  ସହାୟତା ଯୋଗାଇବା ପାଇଁ ଯୋଜନା ରହିଛି । ଏନେଇ ସରକାରୀ ସ୍ତରରେ ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଚାଷୀ ମାନେ ତାଙ୍କର ବକେୟା ପ୍ରାପ୍ୟ ପାଇବେ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ରାଜ୍ୟରେ ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଚାଷୀ ଅଯୋଗ୍ୟ ନେଇ ଅଭିଯୋଗ ରହିଥିଲା । ଏହାକୁ ଯାଞ୍ଚ କରାଯିବା ପରେ ପ୍ରାୟ ୪୯ ହଜାର ଚାଷୀ ବାଦ୍ ପଡ଼ିଛନ୍ତି । ଆସନ୍ତାକାଲି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଟଙ୍କା ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି ।

Exit mobile version