ସତ୍ୟଶିଖା ୨୬/୦୧/୨୦୨୧ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମ ବାସିନ୍ଦା ତଥା ଏଭରେଷ୍ଟ ବିଜେତା ଓ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ହିମାଳୟନ ଚାଦର ଅଭିଯାନ ଓ ଖରଡୁଙ୍ଗଲା ଟପ୍ କାର୍ଯ୍ୟକ୍ରମରେ ଭାଗନେଇ ଗତ ୨୧ ତାରିଖରୁ ଲେହ ଲଦାଖ ଗସ୍ତରେ ଅଛନ୍ତି । ସେ ୨୪ ତାରିଖ ଲେହ ଠାରୁ କାରଗିଲ ଅଭିମୁଖେ ଯାତ୍ରା କରି ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫାତୁଲା ଟପ୍ରେ ସଫଳତାର ସହିତ ପହଞ୍ଚି ଜାତୀୟ ପତାକା ଉଡ଼ାଇଛନ୍ତି । ଏହି ଯାତ୍ରା ସମୟରେ ତାଙ୍କୁ ଲେହ ଲଦାଖ ବାସିନ୍ଦା ଡୋରଜି । ଗାଲସେନ ସହଯୋଗ କରିଥିଲେ । ତାପରେ ସେ କାରଗିଲ୍ରେ ପହଞ୍ଚି ସେହି ସ୍ଥାନର ଜଳବାୟୁ ସହିତ ଖାପଖୁଆଇବା ସହ ଅଭ୍ୟାସ କରିଥିଲେ ।
କାରଗିଲ୍ ସଂପର୍କରେ ଶ୍ରୀ ଭୋଇ ଅନୁଭୂତି ବର୍ଣ୍ଣନା କରି କହିଲେ ବହୁତ ଥଣ୍ଡା ସହିତ ବରଫ ପଡୁଛି । ବିଯୁକ୍ତ ୧୨ରୁ ବିଯୁକ୍ତ ୨୦ ଡିଗ୍ରି ସେଲସିଅସ ତାପମାତ୍ରା ରହୁଛି । ଫଳରେ କାରଗିଲରେ ପାଣି ସମସ୍ୟା ଦେଖାଯାଉଛି । ୨୫ ତାରିଖ ସକାଳ ୮ଘଣ୍ଟା ୩୦ ମିନିଟରେ ବାହାରି ସଂପୂର୍ଣ୍ଣ ବରଫ ରାସ୍ତାରେ ୬୨ କିମି ଯିବା ପରେ ୧୧ଘଣ୍ଟାରେ ଦ୍ରାସର କାରଗିଲ୍ ଯୁଦ୍ଧ ସ୍ମୃତିରେ ପହଞ୍ଚିଥିଲେ । ସେତେବେଳେ ସେଠାରେ ପ୍ରବଳ ବରଫ ରହିବା ସହିତ ବିଯୁକ୍ତ ୨୧ ଡିଗ୍ରିରୁ ବିଯୁକ୍ତ ୨୫ ଡିଗ୍ରି ତାପମାତ୍ରା ଥିଲା ବୋଲି ସେ କହିଛନ୍ତି । ଶ୍ରୀ ଭୋଇ ସାଧାରଣତନ୍ତ୍ର ଦିବସ ଅବସରରେ କଳାହାଣ୍ଡି, ଓଡ଼ିଶା ତଥା ଦେଶର ସମସ୍ତଙ୍କୁ କାରଗିଲ ଯୁଦ୍ଧ ସ୍ମୃତିଠାରୁ ଅଭିନନ୍ଦନ ଦେବା ସହିତ ଦେଶ ଗଠନରେ ସହଯୋଗ ଏବଂ ବୀର ଯବାନମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ନିବେଦନ କରିଛନ୍ତି ।